ପୁଅ-ଝିଅ ଧରିଲେ ବ୍ୟବସାୟ ମଙ୍ଗ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଧନୀ ପରିବାର ସେମାନଙ୍କ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ନିଜ ପୁଅଝିଅଙ୍କୁ ଚୟନ କରିଛନ୍ତି। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ତିନି ପୁଅଝିଅଙ୍କ ମଧ୍ୟରେ ବ୍ୟବସାୟର ଅଧିକାଂଶ ଭାଗ ବାଣ୍ଟିଥିଲେ। ଅନ୍ୟ ଧନୀ ପରିବାର ସନ୍ତାନମାନେ ମଧ୍ୟ ବ୍ୟବସାୟ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ମୁକେଶ ନିଜ ବଡ଼ ପୁଅ ଆକାଶଙ୍କୁ ରିଲାଏନ୍ସ ଜିଓର ମୁଖ୍ୟ ଭାବେ ନିଯୁକ୍ତ କରିଥିବା ବେଳେ ଝିଅ ଇଶାଙ୍କୁ ରିଟେଲ୍‌ ବ୍ୟବସା‌ୟର ଦାୟିତ୍ବ ଦେଇଛନ୍ତି। ସେହିପରି ସାନ ପୁଅ ଅନନ୍ତଙ୍କୁ ଅକ୍ଷୟ ଶକ୍ତି ବ୍ୟବସାୟ ସମ୍ଭାଳିବାର ଦାୟିତ୍ବ ପ୍ରଦାନ କରିଛନ୍ତି।

ବିଶ୍ବର ତୃତୀୟ ବଡ଼ ଧନୀ ଗୌତମ ଆଦାନି ନିଜ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବା ପାଇଁ ପୁଅ କରନ ଆଦାନିଙ୍କୁ ବ୍ୟବସାୟ ପରିଚାଳନା କଳା ଶିଖାଉଛନ୍ତି। କରନଙ୍କୁ ସେ ୧୫,୯୩୪ କୋଟି ଟଙ୍କାର କଂପାନି ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସଇଜେଡ୍‌ର ସିଇଓ ଭାବେ ନିଯୁକ୍ତ କରିଛନ୍ତି। କରଣଙ୍କୁ ଶକ୍ତି ଓ ବନ୍ଦର ବ୍ୟବସାୟ ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ କରିବାକୁ କୁହାଯାଇଥିଲା। ସେ ବନ୍ଦର ବ୍ୟବସା‌ୟକୁ ଗ୍ରହଣ କରିଥିଲେ। ଦେଶର ଆଉ ଏକ ବଡ଼ ବ୍ୟବସାୟ ପରିବାର ହେଉଛି ପ୍ରେମ୍‌ଜୀ ପରିବାର। ଆଇଟି କଂପାନି ୱିପ୍ରୋର ମାଲିକ ଅଜିମ୍‌ ପ୍ରେମ୍‌ଜୀ ନିଜ ପୁଅ ରିସଦ୍‌ ପ୍ରେମ୍‌ଜୀଙ୍କୁ ୧୦୨୯ ଜୁଲାଇରେ କଂପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରି ନିଜ ଉତ୍ତରାଧିକାରୀ ଭାବେ ଚୟନ କରିଥିଲେ। ରିସଦ ହେଉଛନ୍ତି ପ୍ରେମ୍‌ଜୀଙ୍କ ବଡ଼ ପୁଅ।

ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ ନିଜ ପୁଅ ପାର୍ଥ ଜିନ୍ଦଲଙ୍କୁ ବ୍ୟବସା‌ୟ ପରିଚାଳନାରେ ସାମିଲ କରିସାରିଛନ୍ତି। ପାର୍ଥ ଏବେ ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ସିମେଣ୍ଟ୍‌ ଓ ପେଣ୍ଟ୍‌ ବ୍ୟବସାୟର ଦେଖାଶୁଣା କରୁଛନ୍ତି। ପାର୍ଥଙ୍କ ନେତୃତ୍ବରେ ଏହି ଦୁଇ ବ୍ୟବସାୟ ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସାଇରସ୍‌ ପୁନାୱାଲା ପରିବାରର ସନ୍ତାନ ଅଦାର ପୁନାୱାଲା ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମଙ୍ଗ ସମ୍ଭାଳୁଛନ୍ତି। କରୋନା ମହାମାରୀ ସମୟରେ ସିରମ୍‌ କେତେ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ତାହା ଜଣାପଡ଼ିଥିଲା। ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ବବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ୨୦୦୧ରେ ସେ କଂପାନିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସିରମ ଇନଷ୍ଟିଚ୍ୟୁଟ୍‌ ୧୭୧ଟି ଦେଶରେ କାରବାର କରୁଛି।

ସମ୍ବନ୍ଧିତ ଖବର