ଓଡ଼ିଶା ଗ୍ରାହକ ପ୍ରିମିୟମ୍‌ ଉତ୍ପାଦ ଆଡ଼କୁ ଢଳୁଛନ୍ତି

ସୋନି ଇଣ୍ଡିଆର ପରିଚାଳନା ନିର୍ଦେଶକ କେନିଚିରୋ ହିବି ଓଡ଼ିଶା ଆସିଛନ୍ତି। ସେ କଂପାନିର ଡିଲରସିପ୍‌ ପରିଦର୍ଶନ କରିଛନ୍ତି। ରାଜ୍ୟରେ ସୋନିର ବ୍ୟବସାୟର ସମୀକ୍ଷା କରିବା ସହିତ ନୂଆ ସ୍ମାର୍ଟଫୋନ୍‌ ଏକ୍ସପରିଆ ଏଲ୍‌୨କୁ ଉନ୍ମୋଚନ କରିଛନ୍ତି। ସେ କଂପାନିର ନୂଆ ଉତ୍ପାଦ ଏବଂ ଭବିଷ୍ୟତ ଯୋଜନାକୁ ନେଇ ଯାହା ଆଲୋଚନା କରିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ତାଙ୍କ ସହ ଉପସ୍ଥିତ ଥିଲେ ଓଡ଼ିଶା ଶାଖା ପ୍ରବନ୍ଧକ ଅଙ୍କୁଶ କପୁର

ସୋନି ପାଇଁ ଓଡ଼ିଶା ବଜାର କିଭଳି ମହତ୍ୱ ରଖୁଛି?
ଆମ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏଠାରେ ଆମର ଉତ୍ପାଦଗୁଡ଼ିକ ବହୁତ ଭଲ ବିକ୍ରି ହେଉଛି। ଲୋକମାନେ ସୋନି ଉତ୍ପାଦକୁ ପସନ୍ଦ କରୁଛନ୍ତି। କିଛି ବର୍ଷ ଭିତରେ ଏଠାକାର ଗ୍ରାହକଙ୍କ ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଓଡ଼ିଶାର ଗ୍ରାହକମାନେ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସାମଗ୍ରୀ କିଣୁଥିଲେ। ସେମାନେ ସୁଲଭ ମୂଲ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ଏବେ କିନ୍ତୁ ସେମାନେ ପ୍ରିମିୟମ୍‌ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରିମିୟମ୍‌ ବର୍ଗର ଉତ୍ପାଦ ପାଇଁ ସେମାନେ ଅଧିକ ଟଙ୍କା ଗଣିବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ପ୍ରିମିୟମ୍‌ ଉତ୍ପାଦ ବିକ୍ରି କରିବାରେ ସୋନିର ସାରା ବିଶ୍ୱରେ ସୁନାମ ରହିଛି। ଓଡ଼ିଶା ଲୋକମାନେ ଏଭଳି ଉତ୍ପାଦକୁ ପସନ୍ଦ କରିବା ଆରମ୍ଭ କରିଥିବାରୁ ଆମର ଏଠାରେ ଆହୁରି ଭଲ ବ୍ୟବସାୟ ହେବ ବୋଲି ମୁଁ ଭାବୁଛି।

ରାଜ୍ୟରେ କଂପାନିର କେଉଁ ଉତ୍ପାଦ ଅଧିକ ବିକ୍ରି ହେଉଛି?
ଏଲ୍‌ଇଡି ଟିଭି ପ୍ୟାନେଲ୍‌ ଏଠାରେ ଅଧିକ ବିକ୍ରି ହେଉଛି। ଲୋକମାନେ ପ୍ରିମିୟମ୍‌ ଟିଭି ଖରିଦ କରୁଛନ୍ତି। ପୂର୍ବରୁ ଯେଉଁମାନେ ୨୪ ଇଞ୍ଚର ଟିଭି କିଣୁଥିଲେ ଏବେ ସେମାନେ ୩୨ ଇଞ୍ଚ ଟିଭି କିଣିଲେଣି। ଆଗାମୀ ଦିନରେ ଲୋକମାନେ ୪୦ ଇଞ୍ଚର ଟିଭି ପ୍ରତି ଅଧିକ ଆକର୍ଷିତ ହେବେ ବୋଲି ମୁଁ ଭାବୁଛି। କ୍ୟାମେରା କ୍ଷେତ୍ରରେ ମଧ୍ୟ ଆମର କାରବାର ବହୁତ ଭଲ ରହିଛି। ଲୋକମାନେ ଉନ୍ନତ ମାନର କ୍ୟାମେରା କିଣିବା ବେଳେ ସୋନିକୁୁ ଗୁରୁତ୍ୱ ଦେଉଛନ୍ତି। ପେନ୍‌ ଡ୍ରାଇଭ୍‌ ଓ ହାର୍ଡ ଡ୍ରାଇଭ୍‌ ଭଳି ମିଡିଆ ଉତ୍ପାଦ ବିକ୍ରି କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଆମର କାରବାର ଭଲ ରହିଛି।

ସୋନି କେଉଁ କେଉଁ ସାମଗ୍ରୀ ବିକ୍ରି କରୁଛି?
ଆମ କଂପାନି ଟିଭି ପ୍ୟାନେଲ୍‌, ଅଡିଓ ସାମଗ୍ରୀ, କ୍ୟାମେରା, ଡିଜିଟାଲ୍‌ ଓ ଇମେଜିଂ ସାମଗ୍ରୀ, ପ୍ରଫେସନାଲ୍‌ ବ୍ରୋଡ୍‌କାଷ୍ଟିଂ କ୍ୟାମେରା, ପେନ୍‌ ଡ୍ରାଇଭ୍‌, ହାର୍ଡ ଡ୍ରାଇଭ୍‌, ମୋବାଇଲ୍‌ ଫୋନ୍‌ ଏବଂ ଗେମିଂ ଉତ୍ପାଦ ବିକ୍ରି କରୁଛି। ଆମ ବ୍ୟବସାୟର ବଡ଼ ଭାଗ ଟିଭି ପ୍ୟାନେଲ୍‌ ବିକ୍ରିରୁ ଆସୁଛି।

ସୋନି ଚଳିତ ବର୍ଷ କିଭଳି ଅଭିବୃଦ୍ଧି ଆଶା କରୁଛି?
ସର୍ବଭାରତୀୟ ସ୍ତରରେ ଆମେ ଗତବର୍ଷ ତୁଳନାରେ ୨୦% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଟିଭି ପ୍ୟାନେଲ୍‌, ଅଡିଓ ଉତ୍ପାଦ ଏବଂ କ୍ୟାମେରା ଦ୍ୱାରା ଆମର ଅଭିବୃଦ୍ଧି ଆହୁରି ଆଗକୁ ବଢ଼ିବ। ଓଡ଼ିଶାରେ ଆମର କାରବାର ବହୁତ ଭଲ ସ୍ତରରେ ରହିଛି ଏବଂ ଏଠାରେ ଆମର ଅଭିବୃଦ୍ଧି ଶିଳ୍ପ ଅଭିବୃଦ୍ଧିଠାରୁ ଅଧିକ ରହିଛି। ଆଗାମୀ ଦିନରେ ଆମେ ସାରା ଓଡ଼ିଶାରେ ଏମ୍‌ଡିଆର୍‌, ବିଟି ସ୍ପିକର୍‌ ଏବଂ ଓ୍ଵାନ୍‌ ବକ୍ସ ବିକ୍ରି କରିବାକୁ ଯୋଜନା ରଖିଛୁ। ଏହା ପରେ ଆମର କାରବାର ଏଠାରେ ଆହୁରି ବହୁତ ବଢ଼ିଯିବ।

ସ୍ମାର୍ଟଫୋନ୍‌କୁ ନେଇ କଂପାନିର କ’ଣ ଯୋଜନା ରହିଛି?
ଆଜି ଆମେ ଓଡ଼ିଶାରେ ଏକ୍ସପରିଆ ଏଲ୍‌୨କୁ ଉନ୍ମୋଚନ କରିଛୁ। ଏହା ରାଜ୍ୟର ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହି ଫୋନ୍‌ର ମୂଲ୍ୟ ୧୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଏହା ବ୍ୟତୀତ ନିକଟରେ ଆମେ ଉନ୍ମୋଚନ କରିଥିବା ଆର୍‌୧ ଏବଂ ଆର୍‌୧ ପ୍ଲସ୍‌କୁ ଗ୍ରାହକମାନେ ବହୁତ ପସନ୍ଦ କରୁଛନ୍ତି। ସୋନି ସବୁ ବେଳେ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ବିକ୍ରି ଉପରେ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ଆମେ ଆହୁରି ଭଲ ଭଲ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ମଡେଲ୍‌ ବଜାରକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିବୁ।

ସାରା ଭାରତ ଓ ଓଡ଼ିଶାରେ ସୋନିର ଉପସ୍ଥିତି କିଭଳି ରହିଛି?
ଭାରତରେ ଆମର ୨୫ଟି ଶାଖା, ୧୦,୦୦୦ କାଉଣ୍ଟର୍‌ ଏବଂ ୪୦୦ ସର୍ଭିସ୍‌ ସେଣ୍ଟର୍‌ ରହିଛି। ଓଡ଼ିଶାରେ ଆମର ଗୋଟିଏ ଶାଖା ଭୁବନେଶ୍ୱରରେ ରହିଛି। ଏଠାରେ ଆମର ୮୦୦ କାଉଣ୍ଟର୍‌ ଏବଂ ୯ଟି ସର୍ଭିସ୍‌ ସେଣ୍ଟର୍‌ ରହିଛି।

ଓଡ଼ିଶା ଆପଣଙ୍କୁ କିଭଳି ଲାଗୁଛି?
ଓଡ଼ିଶାବାସୀ ବହୁତ ସଂସ୍କୃତିପ୍ରେମୀ। କଳା ଏବଂ ସଂସ୍କୃତି ସହିତ ସେମାନଙ୍କର ଗଭୀର ସମ୍ପର୍କ ରହିଥିବା ମୁଁ ଜାଣିପାରୁଛି। ମୁଁ ଏଠାକୁ ଯେତେ ଥର ଆସିଛି ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି। ଭାରତରେ ମୋର କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚରେ ଶେଷ ହେବାକୁ ଯାଉଛି। ଭାରତ ମୋର ବହୁତ ମନେ ପଡ଼ିବ। କାରଣ ଏଠାକାର ସଂସ୍କୃତି ସହିତ ମୋର ଏକ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଯାଇଛି। ଭାରତ ମୋ ପାଇଁ ଦ୍ୱିତୀୟ ଘର ଭଳି। ମୁଁ କେବେ ବି ଏହାକୁ ଭୁଲି ପାରିବି ନାହିଁ। ଯେତେବେଳେ ସୁଯୋଗ ମିଳିବ ଏଠାକୁ ଆସିବି।

ସମ୍ବନ୍ଧିତ ଖବର