ଭୁବନେଶ୍ବର: ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’କୁ ଅନ୍ତର୍ଜାତୀୟସ୍ତରରେ ବିତରଣ କରିବା ପାଇଁ ଚୁକ୍ତି କରିଥିବା ଘୋଷଣା କରିଛି। ପୂର୍ବରୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ସର୍ବଭାରତୀୟ ସ୍ତରରେ ସ୍ଥାନ ପାଇଥିବା ବେଳେ ‘ରଙ୍ଗଶୁର’କୁ ଅନ୍ତର୍ଜାତୀୟସ୍ତରରେ ବିତରଣ ଦାୟିତ୍ୱ ସୋନୀ ପିକ୍ଚର୍ସ ନେବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ଆଜି ମୁକ୍ତିଲାଭ କରିବ। ‘ରଙ୍ଗଶୁର’ର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ l

Advertisment

ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଛନ୍ତି। ସୁନୀଲ ଯାଦବ ଏବଂ ପ୍ରତାପ ରାଉତ ସହ-ପ୍ରଯୋଜନା କରିଛନ୍ତି। ଅଭିନତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ଜ୍ୟୋତି ନାୟକ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଶୁଭଶ୍ରୀ ଜେନା ପ୍ରମୁଖ ବହୁ ଅଭିଜ୍ଞ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି l ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ। ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବାନି। ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ପ୍ରତାପ ରାଉତ, ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ସ୍ୱର୍ଯ୍ୟମୟୀ ମହାପାତ୍ର, ନୈନା ରାୱତ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।