ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଭରେନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ (ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ସିରିଜ୍) ଆସନ୍ତା ସୋମବାର (୨୨ ତାରିଖ) ଠାରୁ ଆବଦେନ ପାଇଁ ଉପଲବ୍ଧ ହେବ। ୨୬ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଉକ୍ତ ବଣ୍ଡ୍ର ଇସ୍ୟୁ ପ୍ରାଇସ୍ ଗ୍ରାମ ପିଛା ୫୧୯୭ ଟଙ୍କାରେ ଧାର୍ଯ୍ୟ କରାଯାଇଛି। ତେବେ ବଣ୍ଡ୍ ପାଇଁ ଆବେଦନ ଓ ଅର୍ଥ ପୈଠ ଯଦି ଅନଲାଇନ୍ରେ କରାଯିବ ତାହେଲେ ଗ୍ରାମ ପିଛା ୫୦ ଟଙ୍କାର ରିହାତି ମିଳିବ। ଫଳରେ ଏହି ବର୍ଗର ଲୋକଙ୍କ ପାଇଁ ଗ୍ରାମ ପିଛା ମୂଲ୍ୟ ୫୧୪୭ ଟଙ୍କା ରହିବ।
ଉକ୍ତ ସଭରେନ ଗୋଲ୍ଡ ବଣ୍ଡ୍ର ଅବଧି ୮ ବର୍ଷ। ତେବେ ୫ ବର୍ଷ ପରେ ଏହାକୁ ବିକ୍ରି କରାଯାଇ ପାରିବ। ଏଥିରେ ସର୍ବନିମ୍ନ ଜଣେ ୧ ଗ୍ରାମର ସୁନା ନିବେଶ କରିବ। ବ୍ୟକ୍ତିଗତ ଭାବେ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୪ କିଲୋଗ୍ରାମ, ହିନ୍ଦୁ ଅବିଭକ୍ତ ପରିବାର ପାଇଁ ୪ କିଲୋଗ୍ରାମ, ଟ୍ରଷ୍ଟ ଏବଂ ଏପ୍ରକାର ସଂସ୍ଥା ପାଇଁ ୨୦ କିଲୋଗ୍ରାମ ବାର୍ଷିକ ନିବେଶ ସୁଯୋଗ ରହିଛି। ନିବେଶକମାନେ ଗୋଲ୍ଡ ବଣ୍ଡ ପାଇଁ ନଗଦ ଅର୍ଥ (୨୦ ହଜାର ଟଙ୍କା ପର୍ଯ୍ୟନ୍ତ) କିମ୍ବା ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ୍ କିମ୍ବା ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଆକାରରେ ଅର୍ଥ ପଇଠ କରିପାରିବେ। ନିବେଶକମାନଙ୍କୁ ବାର୍ଷିକ ୨.୫୦ ପ୍ରତିଶତ ହାରରେ ରିଟର୍ଣ୍ଣ ପ୍ରଦାନ କରାଯିବ। ୬ ମାସରେ ଥରେ ଏହି ସୁଧ ପ୍ରଦାନ କରାଯିବ।