ନୂଆଦିଲ୍ଲୀ: ଆସନ୍ତା ୭ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ବିଗୁଣିତ ହେବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୩୧ ସୁଦ୍ଧା ୬.୭ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ହୋଇଯିବ ବୋଲି ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ଆକଳନ କରିଛି। ଏହାର ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରୁ ୨୦୩୧ ମଧ୍ୟରେ ଭାରତର ହାରାହାରି ବାର୍ଷିକ ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ। ଫଳରେ ଜିଡିପି ପରିମାଣ ଯାହା ୨୦୨୩ରେ ୩.୪ ଟ୍ରିଲିଅନ ଡଲାର ରହିଛି ତାହା ୬.୭ ଟ୍ରିଲିଅନ ହୋଇଯିବ। ସେହି ସମୟ ଭିତରେ ମୁଣ୍ଡପିଛା ଆୟ ୪୫୦୦ ଡଲାରକୁ ବୃଦ୍ଧି ପାଇବ। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରତି ବିଶ୍ବସ୍ତରରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧରେ ହୋଇଥିବା ବୃଦ୍ଧି ବିପଦ ସଦୃଶ ବୋଲି ଏସ୍ଆଣ୍ଡ୍ପି କହିଛି।
କେନ୍ଦ୍ର ସରକାର ଭିତ୍ତିଭୂମି ଓ ମାନୁଫାକ୍ଚରିଂରେ ଘରୋଇ ନିବେଶ ବଢ଼ାଇବା ଉପରେ ଜୋର ଦେଉଥିବାରୁ ତାହା ଅର୍ଥନୀତିକୁ ଏକ ଉଚ୍ଚ ଓ ସ୍ଥିର ଅଭିବୃଦ୍ଧି ପଥରେ ସ୍ଥାନିତ କରିବ। ୨୦୨୫-୨୬ ବେଳକୁ ଭାରତର ଅଭିବୃଦ୍ଧି ଉଚ୍ଚ ସ୍ତରରେ ପହଞ୍ଚିଯିବ। ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି), ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଭଳି ସଂସ୍କାରର ଲାଭ ଭାରତକୁ ମିଳିବ। ଭାରତ ମାନୁଫାକ୍ଚରିଂରେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଏହାର ପାରମ୍ପରିକ ସେବା କ୍ଷେତ୍ର ମଧ୍ୟ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଜାରି ରଖିବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଦଶଦ୍ଧିରେ ଅଭିବୃଦ୍ଧି ଧାରାକୁ ବଜାୟ ରଖିବା ପାଇଁ ତିନିଟି ପ୍ରମୁଖ କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ତାହା ହେଉଛି ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ବଢ଼ାଇବା, ଶ୍ରମ ଶକ୍ତିରେ ମହିଳାଙ୍କ ସଂଖ୍ୟା ବଢ଼ାଇବା ସହ ଦକ୍ଷତାରେ ବୃଦ୍ଧି ଆଣିବା, ମାନୁଫାକ୍ଚରିଂରେ ଘରୋଇ ନିବେଶ ବଢ଼ାଇବା ଏବଂ ବୈଦେଶିକ ପୁଞ୍ଜିନିବେଶ ଜରିଆରେ ବାହ୍ୟ ପ୍ରତିଦ୍ବନ୍ଦ୍ବିତାକୁ ସୁଦୃଢ଼ କରିବା। ଦେଶର ଏକ ଚମତ୍କାର ଘରୋଇ ବଜାର ସହିତ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତା ବଢ଼ିଲେ ଭାରତକୁ ଅଧିକ ବିଦେଶୀ ନିବେଶ ଆସିବ ବୋଲି ରିପୋର୍ଟରେ କୁହାଯାଇଛି।