ଭୁବନେଶ୍ବର: ଭାରତରେ ଅବସ୍ଥାପିତ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ସ୍ପେନ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ଅକ୍ଷୟ ଶକ୍ତି, ଧାତବ, ବୟନଶିଳ୍ପ ଏବଂ ଅଟୋମୋବାଇଲ ଭଳି ପ୍ରମୁଖ କ୍ଷେତ୍ରରେ ଓଡିଶା ଓ ସ୍ପେନ ମଧ୍ୟରେ ଅଧିକ ସହଯୋଗ ହୋଇପାରିବ। ଆଲୋଚନାରୁ ଜଣାଯାଇଛି ଯେ, ସ୍ପେନ ସହିତ ଅଧିକ ସହଭାଗିତା ପାଇଁ ଦୁଇ ଦେଶ ମଧ୍ୟରେ ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରାଯିବ। 

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନାରେ କହିଥିଲେ ଓଡ଼ିଶା ଦେଶର ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରାଜ୍ୟ ମଧ୍ୟରେ ଅନ୍ୟତମ। ଏଠାରେ ଭବିଷ୍ୟତ ପାଇଁ ଆବଶ୍ୟକ ନିବେଶ ହୋଇପାରିବ। ଫ୍ରେଞ୍ଚ-ସ୍ପାନିସ୍‌ ଗ୍ରୁପ୍ ରୌଲିଅର ସହ ସହାୟକ କମ୍ପାନି ଟିମବ୍‌ ମ୍ୟାଗ୍ନେସିୟମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ନିକଟରେ ଖୋର୍ଦ୍ଧାଠାରେ ଉତ୍ପାଦନ ୟୁନିଟ୍‌ ସ୍ଥାପନ ପାଇଁ କରାଯାଇଥିବା ୯୦ କୋଟି ନିବେଶ ସଂପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥିସହିତ ସ୍ପେନ ରାଷ୍ଟ୍ରଦୂତଙ୍କୁ ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ସଂପର୍କରେ ଅବଗତ କରାଯାଇଥିଲା ଯାହା ଫଳରେ ସ୍ପେନ କମ୍ପାନି ସିମେନ୍ସ ଗମେସା, ଆକିଓନା, ଇବେରଡ୍ରୋଲା ଆଦି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ହେବେ। ସେହିଭଳି ‌ବୟନଶିଳ୍ପ ଏବଂ ଟେକ୍ନିକାଲ ଆପାରେଲ କ୍ଷେତ୍ରରେ ଓଡ଼ିଶାରୁ ପୋଷାକ କ୍ରୟ ସୁଯୋଗ ଥିବା କୁହାଯାଇଥିଲା।