ଟେଲିକମ୍‌ ଶିଳ୍ପକୁ ମିଳିଲା ଜରୁରୀ ସହାୟତା

କ୍ୟାବିନେଟ୍‌ ନିଷ୍ପତ୍ତି

ନୂଆଦିଲ୍ଲୀ: ଋଣ ବୋଝ ତଳେ ଦବି ରହିଥିବା ଟେଲିକମ୍‌ ଶିଳ୍ପକୁ କେନ୍ଦ୍ର ସରକାର ଆଜି ଜରୁରୀ ଆବଶ୍ୟକ ରିଲିଫ୍‌ ପ୍ୟାକେଜ୍‌ ପ୍ରଦାନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ସ୍ପେକ୍ଟ୍ରମ୍‌ ହୋଲ୍‌ଡିଂ କଟକଣାକୁ କୋହଳ କରାଯାଇଛି। ଏହା ଦ୍ୱାରା ସ୍ପେକ୍ଟ୍ରମ୍‌ ବିକ୍ରି ସହଜ ହେବ। କଂପାନିଗୁଡ଼ିକ ମଧ୍ୟରେ ଅଧିଗ୍ରହଣ ଏବଂ ମିଶ୍ରଣ ମଧ୍ୟ ସୁବିଧାରେ ହୋଇପାରିବ। ଋଣ ପରିଶୋଧ କରିବା ପାଇଁ ସଂଘର୍ଷ କରୁଥିବା କଂପାନିଗୁଡ଼ିକ ନିଜର ସମ୍ପତ୍ତି ଏବଂ ସ୍ପେକ୍ଟ୍ରମ ବିକ୍ରି କରି ଋଣ ଶୁଝିପାରିବେ। ନିଲାମ କରାଯାଇଥିବା ସ୍ପେକ୍ଟ୍ରମ୍‌ ପାଇଁ ପେମେଣ୍ଟ୍‌ ଅବଧିକୁ ମଧ୍ୟ ୧୨ ବର୍ଷରୁ ବଢ଼ାଇ ୧୬ ବର୍ଷ କରାଯାଇଛି। ସେହିପରି ବକେୟା ରାଶି ପାଇଁ ଜରିମାନା ଉପରେ ସୁଧକୁ ମଧ୍ୟ ୧୪%ରୁ ଖସାଇ ୧୨% କରାଯାଇଛି। ସ୍ପେକ୍ଟ୍ରମ୍‌ ହୋଲ୍‌ଡିଂ ସୀମା ୨୫%ରୁ ବଢ଼ାଇ ୩୫% କରାଯାଇଛି। ପୂର୍ବରୁ ନିୟମ ଥିଲା ଯେ କୌଣସି ଗୋଟିଏ କଂପାନି କିମ୍ବା ଯୌଥ ଉଦ୍ୟୋଗ ପାଖରେ ୨୫%ରୁ ଅଧିକ ସ୍ପେକ୍ଟ୍ରମ ରହିପାରିବ ନାହିଁ। ଏହି ନିୟମ କୋହଳ କରାଯାଇଥିବାରୁ କଂପାନିଗୁଡ଼ିକ ଭିତରେ ମିଶ୍ରଣ ସହଜ ହେବ। ଛୋଟ କଂପାନିଗୁଡ଼ିକ ସହଜରେ ଏବଂ ସୁବିଧାରେ ବଡ଼ କଂପାନି ସହିତ ମିଶିପାରିବେ। ସ୍ପେକ୍ଟ୍ରମ୍‌ ପାଇଁ ପେମେଣ୍ଟ୍‌ ଅବଧି ପରିମାଣ ବୃଦ୍ଧି କରାଯାଇଥିବାରୁ କଂପାନିଗୁଡ଼ିକ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ ବ୍ୟାବସାୟିକ ପାରଦର୍ଶିତା ହାସଲ କରିବାରେ ବ୍ୟବହାର କରିପାରିବେ। ସ୍ପେକ୍ଟ୍ରମ୍‌ ହୋଲ୍‌ଡିଂ ସୀମା କୋହଳ କରାଯାଇଥିବାରୁ ପରବର୍ତି ନିଲାମଗୁଡ଼ିକରେ ଅଧିକ ସ୍ପେକ୍ଟ୍ରମ ନେବାକୁ ଚାହୁଁଥିବା କଂପାନିଗୁଡ଼ିକ ପାଇଁ ତାହା ସୁବିଧାଜନକ ହେବ। ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନଙ୍କ ନେତୃତ୍ୱରେ ଗଠିତ ଟେଲିକମ୍‌ କମିସନ ଏହି ସବୁ ପ୍ରସ୍ତାବ ଦେଇଥିଲା ଯାହାକୁ କ୍ୟାବିନେଟ୍‌ କମିଟିରେ ଅନୁମୋଦନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର