ଶିକ୍ଷା କ୍ଷେତ୍ର ଲାଗି ପ୍ୟାକେଜ୍ ଦରକାର: ସଞ୍ଜୀବ କୁମାର ରାଉତ

ପ୍ରତିଷ୍ଠାତା, ସିଭି ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟି

କରୋନା ସଙ୍କଟକୁ ଆପଣଙ୍କ ବିଶ୍ବବିଦ୍ୟାଳୟ କିଭଳି ମୁକାବିଲା କରୁଛି?
ଆମ କ୍ୟାମ୍ପସରେ ଭାରତ ସମେତ ୯ଟି ଦେଶର ପ୍ରାୟ ୫୦୦୦ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। କୋଭିଡ୍-୧୯ ସଙ୍କଟ ଆରମ୍ଭ ହେବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଘରକୁ ଚାଲିଯାଇଛନ୍ତି। ଅନ୍ୟ ଦେଶର ୧୦୦ ଛାତ୍ରଛାତ୍ରୀ ଏବଂ ଅନ୍ୟ ରାଜ୍ୟର ପ୍ରାୟ ୫୦ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ରହିଛନ୍ତି। ସେମାନଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଅନଲାଇନ୍‌ କ୍ଲାସେସ୍‌ ଆରମ୍ଭ କରାଯାଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ଶେଷ କରାଯାଇଛି। ଏବେ ଆମେ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛୁ। ଛାତ୍ରଛାତ୍ରୀଙ୍କ ପୂର୍ବରୁ ଥିବା ମାର୍କ ଏବଂ ଅନ୍‌ଲାଇନ୍ ପରୀକ୍ଷାର ମାର୍କକୁ ମିଶାଇ ସେମାନଙ୍କ ମୂଲ୍ୟାଙ୍କନ କରାଯିବ। ଆମ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରାକ୍ଟିକାଲ୍ କ୍ଲାସ୍‌ ହୋଇପାରୁନି।

କରୋନା ସଙ୍କଟ ଦ୍ବାରା ଶିକ୍ଷା କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି?
ନଗଦ ରାଶିର ପ୍ରବାହ ସମ୍ପୂର୍ଣ୍ଣ ଅଟକି ଯାଇଛି। କେବଳ ବ୍ୟାଙ୍କରୁ ମିଳୁଥିବା ଆର୍ଥିକ ସହାୟତାରେ ସଂସ୍ଥା ଚାଲିଛି। ଏକ ଶିକ୍ଷାନୁଷ୍ଠାନକୁ କର୍ମଚାରୀଙ୍କୁ ଦରମା ଦେବା, ବିଦ୍ୟୁତ ବିଲ ଓ ଇଣ୍ଟରନେଟ୍ ବିଲ୍ ଆଦି ଦେବାକୁ ପଡ଼ିଥାଏ। ଏବେ ଆମର ବିପୁଳ କ୍ଷତି ହେଉଛି। ଫନି ସାମୁଦ୍ରିକ ବାତ୍ୟା ସମୟରେ‌ କେବଳ ଆମ ଅନୁଷ୍ଠାନର ୧୪ କୋଟି ଟଙ୍କା କ୍ଷତି ହୋଇଥିଲା। ଏବେ ଯେଉଁ କ୍ଷତି ହୋଇଛି ତାହା ଭରଣା ହେବା ଲାଗି ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗିବ। ସ୍ବାଭାବିକ ଭାବେ ଅଧିକାଂଶ ଶିକ୍ଷାନୁଷ୍ଠାନର ବାଲାନ୍ସ ବିଯୁକ୍ତ ଥାଏ କାରଣ ଭିତ୍ତିଭୂମି ନିର୍ମାଣରେ ନିରନ୍ତର ବିକାଶ ଜାରି ରଖିବାକୁ ହୁଏ। ସେଥିପାଇଁ ଋଣ ନେବାକୁ ପଡ଼େ ଏବଂ ପରିଶୋଧ ଜାରି ରହେ।

ଶିକ୍ଷା କ୍ଷେତ୍ରକୁ ସରକାରୀ ପ୍ୟାକେଜ୍ ଦରକାର କି?
କେନ୍ଦ୍ର ସରକାର କ୍ଷୁଦ୍ର ଶିଳ୍ପ ଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକ, ଚାଷୀ, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଏକ ସମାଜ ଲାଗି ଶିକ୍ଷା ଅନେକ ଗୁରୁତ୍ବ ବହୁନ କରୁଥିବା ବେଳେ ଏହି କ୍ଷେତ୍ର ପାଇଁ ଏପର୍ଯ୍ୟନ୍ତ କୌଣସି ସହାୟତା ଘୋଷଣା କରାଯାଇନାହିଁ। ଯଦି ସରକାରୀ ସହାୟତା ନମିଳିବ ତେବେ ବ୍ୟାଙ୍କ ଋଣ ହାତେଇବାରେ ଯେଉଁ ସଂସ୍ଥା ବିଫଳ ହେବେ ସେଗୁଡ଼ିକ ପ୍ରାୟ ବନ୍ଦ ହୋଇଯିବ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବିଧାରେ ଏବଂ କମ୍ ସୁଧରେ କିଭଳି ଋଣ ଦିଆଯାଇପାରିବ ସେ ନେଇ ସରକାର ବ୍ୟବସ୍ଥା କରିବା ଦରକାର। ଋଣ ପରିଶୋଧରେ ମଧ୍ୟ ସୁବିଧା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର