ଚାଷ ପାଇଁ ଟନିକ୍‌: ମହୁମାଛି ପାଳନ, ମତ୍ସ୍ୟଚାଷ ପାଇଁ ବି ସ୍ବତନ୍ତ୍ର ସ୍କିମ୍

ମହୁମାଛି ପାଳନ ପାଇଁ ୫୦୦ କୋଟି

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଲୋକମାନଙ୍କ ଜୀବନଜୀବିକାକୁ ସହାୟତା ପ୍ରଦାନ କରିବା ଏକ ମାଧ୍ୟମ ହେଉଛି ମହୁମାଛି ପାଳନ। କରୋନା ଭୁତାଣୁ ସଙ୍କଟ ପ୍ରଭାବରେ ଅନେକ ଲୋକ ଜୀବିକା ହରାଇଥିବା ବେଳେ ଏହି ଚାଷ ଜରିଆରେ ସେମାନଙ୍କୁ ଆୟର ଉତ୍ସ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ୫୦୦ କୋଟି ଟଙ୍କାର ଏକ ସ୍କିମ୍ କାର୍ଯ୍ୟକାରୀ କରାଯିବ। ଏହି ସ୍କିମ୍ ଅଧୀନରେ ସମନ୍ବିତ ମହୁମାଛି ବିକାଶ କେନ୍ଦ୍ର, ସଂଗ୍ରହ, ବିପଣନ ଏବଂ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରିବା, ଅମଳ ପରବର୍ତୀ ପରିଚାଳନା ଏବଂ ମହୁ ଉତ୍ପାଦରେ ମୂଲ୍ୟଯୋଗ କରିବା ଲାଗି ଭିତ୍ତିଭୂମି ବିକଶିତ କରାଯିବ। ମହୁମାଛି ଥିବା ସ୍ଥାନ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ଏବଂ ମାନକକୁ କାର୍ଯ୍ୟକାରୀ କରାଯିବ। ମହିଳାମାନଙ୍କୁ ନଜରରେ ରଖି ଦକ୍ଷତା ବିକାଶ କରାଯିବ। ଗୁଣାତ୍ମକ ନିଉକ୍ଲିଅସ୍‌ ଷ୍ଟକ୍ ଏବଂ ମହୁମାଛି ପ୍ରଜନକ ବିକଶିତ କରାଯିବ। ଏହି ସ୍କିମ୍ ଜରିଆରେ ୨ ଲକ୍ଷ ମହୁମାଛି ଚାଷୀଙ୍କ ଆୟ ବଢ଼ିପାରିବ ଓ ଗ୍ରାହକମାନଙ୍କୁ ଗୁଣାତ୍ମକ ମାନର ମହୁ ମିଳିପାରିବ ବୋଲି ସରକାର ଭାବୁଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ହେବ ସଂଶୋଧନ
ନୂଆଦିଲ୍ଲୀ: କୃଷିଜାତ ସାମଗ୍ରୀଗୁଡ଼ିକୁ ସିଧାସଳଖ ବିଦେଶୀ ବଜାର ସହିତ ଯୋଡ଼ିବା ଲାଗି କୃଷକ ବର୍ଗ ଯେଉଁ ଦାବି କରୁଥିଲେ ସରକାର ତାହାକୁ ମାନି ନେଇଛନ୍ତି। ଉତ୍ପାଦିତ ସାମଗ୍ରୀ ପାଇଁ ଯେଭଳି ଉଚିତ ମୂଲ୍ୟ ମିଳିପାରିବ ତାହାକୁ ନିଶ୍ଚିତ କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ନିୟମ, ୧୯୫୫ରେ ସଂଶୋଧନ କରାଯିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହା ଦ୍ବାରା ଖାଦ୍ୟଶସ୍ୟ ଚାଷ କରୁଥିବା କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ଅଧିକ ମୂଲ୍ୟ ପାଇପାରିବେ। ଯେଉଁ ସାମଗ୍ରୀରୁ ଦାନାଯୁକ୍ତ ଖାଦ୍ୟ ପ୍ରସ୍ତୁତ ହେଉଛି (ସିରିଆଲ), ‌ତୈଳ ବୀଜ, ଖାଇବା ତେଲ, ଡାଲି, ପିଆଜ ଏବଂ ଆଳୁକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରାଯିବ। କେବଳ ପ୍ରାକୃତିକ ବିପର୍ଯ୍ୟୟ, ମରୁଡ଼ି ଏବଂ ଦରଦାମ୍‌ରେ ଅତ୍ୟଧିକ ବୃଦ୍ଧି ଭଳି ବିରଳ ସମୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ଷ୍ଟକ ଉପରେ କଟକଣା ଲଗାଯିବ। କୃଷିଜାତ ସାମଗ୍ରୀର ପ୍ରକ୍ରିୟାକରଣ କରୁଥିବା କିମ୍ବା ମୂଲ୍ୟ ଶୃଙ୍ଖଳା ସହିତ ଜଡ଼ିତ ଥିବା ସଂସ୍ଥାଗୁଡ଼ିକ ଉପରେ କୌଣସି ପ୍ରକାର ଷ୍ଟକ ସୀମା ଲାଗୁ କରାଯିବ ନାହିଁ।

ସମ୍ବନ୍ଧିତ ଖବର