ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଆଜି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହିତ ଲକଡାଉନ୍ ଜାରି ରହିଥିବାରୁ ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କୃଷି, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଗ୍ରାମାଞ୍ଚଳରେ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି (ବିସି) ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର ଟଙ୍କା ରଖିବା କ୍ଷମତାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଗ୍ରାମାଞ୍ଚଳରେ ଲୋକମାନେ ବିସିମାନଙ୍କ ଜରିଆରେ ବ୍ୟାଙ୍କିଂ କାରବାର ଅଧିକ ମାତ୍ରାରେ ହେଉଛି। ସେଥିପାଇଁ ବିସିମାନଙ୍କ ଟଙ୍କା ରଖିବା କ୍ଷମତାକୁ ବଢ଼ାଇ ଦିଆଯାଇଛି। ତେବେ ବିଭିନ୍ନ ବ୍ୟାଙ୍କ ବିସିମାନଙ୍କ ଟଙ୍କା କାରବାର କ୍ଷମତାକୁ ଭିନ୍ନ ଭିନ୍ନ ସ୍ତରରେ ରଖିଛନ୍ତି। ତେଣୁ କେଉଁ ବ୍ୟାଙ୍କ ବିସିମାନଙ୍କ ଟଙ୍କା ରଖିବା କ୍ଷମତାକୁ କେତେ ବଢ଼ାଇବ ତାହା ସେହି ବ୍ୟାଙ୍କ ଉପରେ ନିର୍ଭର କରେ ବୋଲି ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି।

Advertisment

କରୋନା ଯୋଗୁଁ ଆଜିର ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ହୋଇଥିଲା। ଏଥିରେ ନୂଆଦିଲ୍ଲୀରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗର ଯୁଗ୍ମ ସଚିବ ଏ କେ ଦାଶ ଯୋଡ଼ି ହୋଇଥିଲେ। ସେ ଏହି ଅବସରରେ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟରେ ମଧ୍ୟ ସନ୍ତୋ‌ଷ ବ୍ୟକ୍ତ କରିଥିଲେ। ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏ କେ ମୀନା ଯୋଗଦେଇ କୃଷି, ଏସଏଚଜି ଏବଂ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କ ଗୁଡ଼ିକ ଋଣ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ଗାଈ ଚାଷୀଙ୍କୁ ଯେଭଳି ସୁବିଧାରେ ଋଣ ଯୋଗାଇ ଦିଆଯିବ ପାରିବ ତାହା ଉପରେ ଗୁରୁତ୍ବ ଦେଇଥିଲେ। ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଇ ଦେବା ଉପରେ ଏସଏଲବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ଏମଡି ଏ କେ ଗୋଏଲ ଗୁରୁତ୍ବାରୋପ କରିଥିଲେ। ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଥିବା ବ୍ୟବସାୟିକ ପ୍ରତିନିଧି (ବିସି)ମାନେ ଯେଭଳି ଅସୁବିଧାରେ ନପଡ଼ିବେ ସେଥିପାଇଁ ସେମାନଙ୍କୁ ମାସ୍କ ଓ ସାନିଟାଇଜର ମାନ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଥିଲେ। ବୈଠକରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏମ. କେ. ମଲ୍‌, ନାବାର୍ଡର ସିଜିଏମ୍ ଏ ଚନ୍ଦ୍ରଶେଖରଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇଥିଲେ।