୫ଜି ସ୍ପେକ୍ଟ୍ରମ ନିଲାମ : ୨ୟ ଦିନରେ ଆଉ ୪ ରାଉଣ୍ଡ ବିଡିଂ, ଏପର୍ଯ୍ୟନ୍ତ ସରକାର ପାଇଲେଣି ଦେଢ ଲକ୍ଷ କୋଟି

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମ ବୁଧବାର ମଧ୍ୟ ଜାରି ରହିଥିଲା । ବୁଧବାର ଦିନ ମୋଟ ୪ ରାଉଣ୍ଡ ବିଡିଂ ହୋଇଥିଲା । ଏପର୍ଯ୍ୟନ୍ତ ଏସବୁ ନିଲାମରୁ ସରକାର ୧ ଲକ୍ଷ ୪୯ ହଜାର ୪୫୪ କୋଟି ପାଇସାରିଛନ୍ତି । ମଙ୍ଗଳବାର ପରି ବୁଧବାର ଦିନ ମଧ୍ୟ ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନିଲାମ ସଂଧ୍ୟା ୬ଟାରେ ଶେଷ ହୋଇଥିଲା । ଏହି ନିଲାମ ଗୁରୁବାର ବି ଜାରି ରହିବ ।

ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ୭୦୦ ମେଗାହଜ୍ ସ୍ପେକ୍ଟ୍ରମ ନିମନ୍ତେ ବିଡରଙ୍କ ଆଗ୍ରହକୁ ଦେଖି ସେ ଖୁସି । ଏହି ସ୍ପେକ୍ଟ୍ରମ ମାଧ୍ୟମରେ ଦୂରନ୍ତ ଇଲାକାରେ ଟେଲିକମ ସେବା ପହଂଚିପାରିବ ।

୫-ଜି ନିଲାମରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଅଂଶଗ୍ରହଣ କରୁଛନ୍ତି । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରୁଛି । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରୁଛି ।

ଏହି ନିଲାମ ମାଧ୍ୟମରେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଅଦାନୀ, ସୁନୀଲ ମିତ୍ତଲ ପରସ୍ପର ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି ।
ମଙ୍ଗଳବାର ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହେବ । ଏସବୁ ନିଲାମର ମୋଟ ମୂଲ୍ୟ ପ୍ରାୟ ୪.୩ ଲକ୍ଷ କୋଟି ହେବା ଅଟକଳ କରାଯାଉଛି ।
ଗତ ଜୁନ ମାସରେ କେନ୍ଦ୍ର କ୍ୟାବିନେଟ ୫-ଜି ନିଲାମକୁ ମଂଜୁରୀ ଦେଇଥିଲା । ଏହା ପରେ ଜୁନ ୧୬ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର