ନିର୍ବାଚନରେ ଭୋଟ ଦେବାକୁ ଆସୁଥିବା ଲୋକଙ୍କୁ ମାଗଣା ବିମାନ ଟିକେଟ ଦେବ ସ୍ପାଇସ ଜେଟ

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି | ଏଥିପାଇଁ ରାଜନୈତିକ ଦଳମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସ ଜେଟ ଏକ ଭିନ୍ନ ଘୋଷଣା କରିଛି | ଭୋଟ ଦେବାକୁ ଆସୁଥିବା ଯାତ୍ରୀଙ୍କୁ ମାଗଣା ବିମାନ ଟିକଟ ଦେବାକୁ ସ୍ପାଇସ ଜେଟ ଘୋଷଣା କରିଛି | ସ୍ପାଇସ ଜେଟ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଭୋଟ ଦେବାକୁ ଦିଲ୍ଲୀ ଆସିବେ ସେମାନଙ୍କୁ ମାଗଣା ଟିକଟ ଦେବାକୁ ବ୍ୟବସ୍ଥା କରାଯାଇଥିବାବେଳେ କେବଳ ସେମାନେ ଯାତ୍ରା କର ଓ ସରଚାର୍ଜ ହିଁ ଦେବେ | ତେବେ ସୀମିତ ସଂଖ୍ୟାରେ ଏହି ମାଗଣା ଟିକଟ ଦିଆଯିବ ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି |


ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିବାକୁ ପଡିବ ଓ କମ୍ପାନୀର ଅନ୍ତରୀଣ କମିଟି ହିଁ କାହାକୁ ମାଗଣା ଟିକଟ ଦିଆଯିବ ସେ ନେଇ ବିଚାର କରିବ | ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ୩୧ ଜାନୁୟାରୀରୁ ଆସନ୍ତା ଫେବୃୟାରୀ ୫ ତାରିଖ ମଧ୍ୟରେ ଏହି ରେଜିଷ୍ଟ୍ରେସନ କରିବାକୁ ପଡିବ |

ନିଃଶୁଳ୍କ ଟିକଟ ପାଇବାକୁ ଥିବା ଯାତ୍ରୀଙ୍କୁ ଫେବୃୟାରୀ ୬ ତାରିଖରେ ସେମାନଙ୍କ ଯାତ୍ରା ବାବଦରେ ଜଣାଇଦିଆଯିବ | ଚୟନ ହୋଇଥିବା ଯାତ୍ରୀଙ୍କୁ ଫେବୃୟାରୀ ୭ ତାରିଖରେ ବା ୮ ତାରିଖରେ ବିମାନରେ ଯାତ୍ରା କରିବାକୁ ପଡିବ | ଏହା ସହ ମତଦାନ ଦେବା ପରେ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସ୍ପାଇସ ଡେମୋକ୍ରସି ସମ୍ବଳିତ ଏକ ହାସଟ୍ୟାଗ ଲେଖି ସେଲ୍ଫି ଅପଲୋଡ଼ କରିବାକୁ ପଡିବ |

ସମ୍ବନ୍ଧିତ ଖବର