ନୂଆଦିଲ୍ଲୀ: ଭାରତରେ ଏୟାରଲାଇନ୍ସ ଚଲାଇବାର ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର। ଇନ୍ଧନର ଚଢ଼ା ମୂଲ୍ୟ ସାଙ୍ଗକୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବଜାରରେ ତିଷ୍ଠି ରହିବା ଲାଗି କଂପାନିଗୁଡ଼ିକୁ ସଂଘର୍ଷ କରିବାକୁ ପଡ଼ୁଛି। କିଛି ବର୍ଷ ପୂର୍ବେ ସମାନ କାରଣ ଲାଗି ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଯାଇଥିବା ବେଳେ ନିକଟରେ ଗୋ ଫାଷ୍ଟ୍‌ ମଧ୍ୟ ଇଞ୍ଜିନ ମରାମତି ସମସ୍ୟାର ପ୍ରତିକାର କରିନପାରି ବନ୍ଦ ହୋଇଯାଇଛି। ଏବେ ଆଉ ଏକ ବିମାନ କଂପାନି ତିଷ୍ଠି ରହିବାକୁ ସଂଘର୍ଷ କରୁଛି। ତାହା ହେଉଛି ସ୍ପାଇସ୍‌ଜେଟ୍‌। କଂପାନି ନିଜେ ଦିଲ୍ଲୀ ହାଇକୋର୍ଟଙ୍କୁ ଏହା ଅବଗତ କରିଛି। ପାଣ୍ଠି ଅଭାବରୁ କଂପାନିର ଏକ ଚତୁର୍ଥାଂଶ ବିମାନ ଆକାଶରେ ଉଡ଼ିପାରୁନାହିଁ। ବିମାନ ଲିଜ୍‌ରେ ଦେଇଥିବା ସଂସ୍ଥାଙ୍କୁ କଂପାନି ପେମେଣ୍ଟ୍‌ କରିପାରୁନାହିଁ।

Advertisment

୨୦୧୫ରେ କଂପାନିର ପୂର୍ବତନ ମୁଖ୍ୟ କଳାନିଥି ମାରନଙ୍କଠାରୁ ସେୟାର ନୂଆ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇଥିଲା। ସେଥିପାଇଁ ମାରନଙ୍କୁ ଏୟାରଲାଇନ୍ସ ୭୦ ନିୟୁତ ଡଲାର ସୁଧ ସମେତ ଦେବାର ଥିଲା। ନୂଆ କର୍ତ୍ତୃପକ୍ଷ ତାହାକୁ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ୨୦୧୮‌ରେ ସେହି ମାମଲାକୁ ଏୟାରଲାଇନ୍ସ ହାରିଯାଇଥିଲା। ସେହି ମାମଲାର ଶୁଣାଣି କରି ମାରନଙ୍କୁ ୧୦୦ କୋଟି ଟଙ୍କା ଫେରାଇବା ଲାଗି ଦିଲ୍ଲୀ ହାଇକୋର୍ଟ ସ୍ପାଇସ୍‌ଜେଟ୍‌କୁ କହିଛନ୍ତି। କଂପାନି ଟଙ୍କା ନଦେଲେ ତାହାର ସମ୍ପତ୍ତି ଜବତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।