ପ୍ରବାସୀଙ୍କୁ ବିଦେଶୀ ମୁଦ୍ରା ମାଗିଲା ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କାର ଆର୍ଥିକ ସଂକଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ସରକାର ୫୧ ବିଲିଅନ ଡଲାରର ବିଦେଶୀ ଋଣ ପରିଶୋଧକୁ ସ୍ଥଗିତ ରଖିଥିଲେ। ଏହାର ପରଦିନ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ବିଦେଶରେ ବସବାସ କରୁଥିବା ଶ୍ରୀଲଙ୍କାର ନାଗରିକଙ୍କ ନିକଟରେ ହାତ ପତାଇଛନ୍ତି। ଦେଶକୁ ବିଦେଶୀ ମୁଦ୍ରା ପଠାଇବା ପାଇଁ‌ ସେମାନଙ୍କୁ ନିବେଦନ କରିଛନ୍ତି। ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇବା ପାଇଁ ନିକଟରେ ନିଯୁକ୍ତ ହୋଇଥିବା ‌ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନନ୍ଦଲାଲ ୱିରାସିଙ୍ଘେ କହିଛନ୍ତି। ଶ୍ରୀଲଙ୍କାର ପ୍ରବାସୀ ନାଗରିକଙ୍କ ଠାରୁ ଦାନ ଗ୍ରହଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଜର୍ମାନୀରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ପ୍ରବାସୀ ନାଗରିକମାନେ ଦେଉଥିବା ଦାନରାଶିକୁ ଅତ୍ୟାବଶ୍ୟକ କ୍ଷେତ୍ରରେ ବ୍ୟୟ କରାଯିବ। କେବଳ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଆମଦାନି ପାଇଁ ଏହାକୁ ବ୍ୟୟ କରାଯିବ। ତେବେ ବିଦେଶରେ ଥିବା କିଛି ପ୍ରବାସୀ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ବିଶ୍ବାସକୁ ନେଉନାହାନ୍ତି। ସହାୟତା ଦେବାକୁ ଆମେ କୁଣ୍ଠିତ ନୁହେଁ, କିନ୍ତୁ ଆମ ଅର୍ଥକୁ ନେଇ ଆମେ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିପାରୁନାହିଁ ବୋଲି ଅଷ୍ଟ୍ରେଲିଆରେ ବାସ କରୁଥିବା ଶ୍ରୀଲଙ୍କାର ଜଣେ ଡାକ୍ତର କହିଛନ୍ତି। ସେହିଭଳି କାନାଡ଼ାରେ ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ମଧ୍ୟ କହିଛନ୍ତି ଆବଶ୍ୟକ କ୍ଷେତ୍ରରେ ତାଙ୍କ ଟଙ୍କା ବ୍ୟୟ ହେବାର ବିଶ୍ବାସ ତାଙ୍କର ନାହିଁ। ସୁନାମି ପାଣ୍ଠି ଭଳି ଏହାକୁ ଖର୍ଚ୍ଚ କରାଯାଇ‌ପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର