ତେଲ କିଣିବା ପାଇଁ ଭାରତକୁ ଋଣ ମାଗିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବୈଦେଶିକ ମୁଦ୍ରାର ଘୋର ଅଭାବ ଦେଖାଦେଇଛି। ତେଲ ଆମଦାନି କରିବା ଲାଗି ଏହା ପାଖରେ ଆବଶ୍ୟକ ଅର୍ଥ ନାହିଁ। ତେଣୁ ଏହା ଭାରତକୁ ୫୦୦ ନିୟୁତ ଡଲାରର ଋଣ ମାଗିଛି। ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଉଦୟ ଗାମାନପିଲ୍ଲା କିଛି ଦିନ ତଳେ ଦେଶବାସୀଙ୍କୁ ସତର୍କ କରି କହିଥିଲେ ଯେ ‌ଏବେ ଦେଶରେ ଯେତିକି ତୈଳ ଗଚ୍ଛିତ ରହିଛି ତାହା ଅତିବେଶିରେ ଆସନ୍ତା ଜାନୁଆରି ପର୍ଯ୍ୟନ୍ତର ଆବଶ୍ୟକତା ପୂରଣ କରିପାରିବ।

ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ତୈଳ ଆମଦାନି କରୁଥିବା ଶ୍ରୀଲଙ୍କାର ସରକାରୀ ତୈଳ କଂପାନି ସେଲନ୍ ପେଟ୍ରୋଲିୟମ୍ କର୍ପୋରେସନ୍ ଦେଶର ଦୁଇଟି ବ୍ୟାଙ୍କ ଠାରୁ ପ୍ରାୟ ୩୩୦ କୋଟି ଡଲାର ଋଣ ଆଣି ତୈଳ ଆମଦାନି କରିଛି। ଅଧିକ ଋଣ ହାସଲ କରିବା ଲାଗି ଏହା ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଆଲୋଚନା ଜାରି ରହିଛି। ଭାରତ-ଶ୍ରୀଲଙ୍କା ଅର୍ଥନୈତିକ ସହଯୋଗିତା ଅଧୀନରେ ଏହା ଋଣ ମାଗିଛି। ଭାରତ ଋଣ ଦେଲେ ସେହି ଅର୍ଥରାଶିକୁ ଶ୍ରୀଲଙ୍କା ପେଟ୍ରୋଲ୍ ଓ ଡିଜେଲ୍ କିଣିବାରେ ବ୍ୟବହାର କରିବ। ଖୁବ୍‌ଶୀଘ୍ର ଏହି ଋଣ ପାଇଁ ଭାରତ ଓ ଶ୍ରୀଲଙ୍କାର ତୈଳ ମନ୍ତ୍ରୀ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିବେ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ପରେ ଅଧିକାଂଶ ବୈଦେଶିକ ମୁଦ୍ରାକୁ ଏହା ତେଲ କିଣିବାରେ ବ୍ୟବହାର କରିଛି। ତେଲ କିଣିବାରେ ଏହା ୪୫% ଅଧିକ ଖର୍ଚ୍ଚ କରିସାରିଲାଣି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଶ୍ରୀଲଙ୍କାରେ ବୈଦେଶିକ ମୁଦ୍ରା ସଙ୍କଟ ଆରମ୍ଭ ହୋଇଥିଲା। ଏହି ଦେଶର ଜିଡିପି ୨୦୨୦ରେ ୩.୬% ହ୍ରାସ ପାଇଛି। ବର୍ଷକ ଭିତରେ ଶ୍ରୀଲଙ୍କାର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୨୮୦ କୋଟି ଡଲାରକୁ ଖସିଆସିଛି। ସେଥିପାଇଁ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କା ମୂଲ୍ୟରେ ୯ ପ୍ରତିଶତ ହ୍ରାସ ଘଟିଛି। ସେଥିପାଇଁ ଏହି ଦେଶ ଲାଗି ଆମଦାନି ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇଛି।

ସମ୍ବନ୍ଧିତ ଖବର