ଶ୍ରୀଲଙ୍କା ମୁଦ୍ରାସ୍ଫୀତି ୬୦% ପାର୍‌

କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଜୁଲାଇ ମାସରେ ଦେଶର ମୁଦ୍ରାସ୍ଫୀତି ୬୦ ପ୍ରତିଶତ ଅତିକ୍ରମ କରି ୬୦.୮ ପ୍ରତିଶତ ଛୁଇଁଛି। ଶ୍ରୀଲଙ୍କା ସରକାରଙ୍କ ପରିସଂଖ୍ୟାନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜୁନରେ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ୫୪.୬ ପ୍ରତିଶତ ରହିଥିଲା। ସେହିଭଳି ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ହାର ଜୁନରେ ୮୦.୧ ପ୍ରତିଶତ ଥିବାବେଳେ ଜୁଲାଇରେ ୯୦.୯ ପ୍ରତିଶତକୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ଆଗାମୀ ଦିନରେ ୭୫ ପ୍ରତିଶତ ଛୁଇଁପାରେ ବୋଲି ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବାନୁମାନ କରିଛି।

୧୯୪୮ରେ ଶ୍ରୀଲଙ୍କା ସ୍ବାଧୀନ ହେବା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଆର୍ଥିକ ସଙ୍କଟ ଦେଖାଦେଇଛି। ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଛି। ଚଳିତମାସ ମଧ୍ୟଭାଗରେ ଶ୍ରୀଲଙ୍କାରେ ରନ୍ଧନ ଗ୍ୟାସର ସାଂଘାତିକ ଅଭାବ ଦେଖାଦେଇଥିଲା। କିନ୍ତୁ ଆମଦାନି ଯୋଗୁ ଏହି ଅବସ୍ଥାରେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ଶ୍ରୀଲଙ୍କା ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଠାରୁ ତ୍ରାଣ ପ୍ୟାକେଜ ପାଇଁ କଥାବାର୍ତ୍ତା ଚଳାଇଛନ୍ତି। ଏ ସମ୍ପର୍କିତ କଥାବାର୍ତ୍ତାରେ ଅଗ୍ରଗତି ହୋଇଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

ସମ୍ବନ୍ଧିତ ଖବର