ଶ୍ରୀଧର ହେବେ ନାଲ୍‌କୋ ସିଏମ୍‌ଡି

ଭୁବନେଶ୍ବର : ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋର ନୂଆ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସିଏମ୍‌ଡି) ଭାବେ ଶ୍ରୀଧର ପାତ୍ରଙ୍କୁ ମନୋନୀତ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ୧ରୁ କଂପାନିର ନୂଆ ମୁଖ୍ୟ ଭାବେ ଶ୍ରୀ ପାତ୍ର କାର୍ଯ୍ୟଭାର ଗ୍ରହଣ କରିବେ। ଏବେ ସେ ନାଲ୍‌କୋର ନିର୍ଦେଶକ (ଅର୍ଥ) ଭାବେ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ନାଲ୍‌କୋର ସିଏମ୍‌ଡି ଭାବେ କାର୍ଯ୍ୟ କରୁଥିବା‌ ଡକ୍ଟର ତପନ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ରେ ଶେଷ ହେବ। ସେ କଂପାନିର ମୁଖ୍ୟ ଭାବେ ୨୦୧୫ ଜୁଲାଇରେ ଯୋଗ ଦେଇଥିଲେ।

ନାଲ୍‌କୋର ସିଏମ୍‌ଡି ଚୟନ କରିବା ଲାଗି ଆଜି ନୂଆଦିଲ୍ଲୀରେ ସରକାରୀ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି)ର ବୈଠକ ବସିଥିଲା। ଦୌଡ଼ରେ ଚାରି ଜଣ ପ୍ରାର୍ଥୀ ଥିଲେ। ସେମାନେ ହେଉଛନ୍ତି ନାଲ୍‌କୋର ଶ୍ରୀ ପାତ୍ର, ସେଲ୍‌ର ନିର୍ଦେଶିକା (ବାଣିଜ୍ୟ) ସୋମା ମଣ୍ଡଳ, ମେକନ୍‌ ଲିମିଟେଡ୍‌ର ସିଏମ୍‌ଡି ଅତୁଲ ଭଟ୍ଟ ଓ ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ ଲିମିଟେଡ୍‌ର ନିର୍ଦେଶକ (ଅର୍ଥ) ଏମ୍ ଶିବ ସୁନମୁଗନାଥନ। ସାକ୍ଷାତକାର ପାଇଁ ପିଇଏସ୍‌ବି ତରଫରୁ ଏହି ଚାରି ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ଅନ୍ୟ ତିନି ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀ ପାତ୍ର ନାଲ୍‌କୋର ନୂଆ ସିଏମ୍‌ଡି ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‌ଅଧ୍ୟକ୍ଷତାରେ ବସିବାକୁ ଥିବା ନିଯୁକ୍ତି ସଂକ୍ରାନ୍ତୀୟରେ କ୍ୟାବିନେଟ୍ କମିଟିର ଆଗାମୀ ବୈଠକରେ ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯିବ। ଶ୍ରୀ ପାତ୍ର ୨୦୧୮ ସେପ୍ଟେମ୍ବର ୧ରେ ନାଲ୍‌କୋରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ଖଣି ନିଗମ, ଇଣ୍ଡିଆନ ରେୟାର ଆର୍ଥ ଓ ଟିଏଚ୍‌ଡିସି ଇଣ୍ଡିଆ ପାଇଁ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର