ଶ୍ରୀନଗର ବଜାର ବନ୍ଦ, ବ୍ୟବସାୟୀଙ୍କ ୧୦୦୦ କୋଟି କ୍ଷତି

ପଶୁ ସମ୍ପଦ ଓ ପାଉଁରୁଟି ବିକ୍ରେତା ଅଧିକ କ୍ଷତିଗ୍ରସ୍ତ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ଲଗାଯାଇଥିବା କଟକଣା ଯୋଗୁ ଶ୍ରୀନଗରର ବ୍ୟବସାୟ ଗୋଷ୍ଠୀ ବିପୁଳ କ୍ଷତି ସହିଲେଣି। ସପ୍ତାହକ ଭିତରେ ବ୍ୟବସାୟୀମାନେ ୧୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଆକଳନ କରାଯାଇଛି। କଶ୍ମୀର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର କଶ୍ମୀରରେ ଲଗାଇଥିବା କଟକଣା ଯୋଗୁ ଦୈନିକ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଛି। ପାଉଁରୁଟି ଓ ପଶୁ ସମ୍ପଦ କାରବାର କରୁଥିବା ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଲୋକମ‌ାନେ ଘରୁ ବାହାରି ପାରୁନଥିବାରୁ ପାଉଁରୁଟି ନିର୍ମାତାମାନେ ଉତ୍ପାଦନ କରିଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି। ସେମାନେ ୨୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି।

ପୁଞ୍ଚ୍‌ ଅଞ୍ଚଳର ପଶୁ ସମ୍ପଦ ବିକ୍ରେତା ବଶିର ଅହମ୍ମଦ ଇଦ୍‌-ଉଲ୍‌-ଜୁହାକୁ ନଜରରେ ରଖି କଶ୍ମୀରକୁ ଛେଳି ଓ ମେଣ୍ଢା ପଲ ଆଣିଥିଲେ। ବିକ୍ରି ହେବାର ବହୁତ କମ୍ ସମ୍ଭାବନା ଥିବାରୁ ସେଗୁଡ଼ିକୁ ପୁଣି ଘରକୁ ଫେରାଇ ନେବେ ବୋଲି ବଶିର କହିଛନ୍ତି। ସେ କହିଲେ, ଗତବର୍ଷ ମୁଁ ଆଣିଥିବା ସବୁ ‌ଛେଳି ଓ ମେଣ୍ଢାକୁ ବିକ୍ରି କରିବା ପରେ ପରିବାର ସହ ଇଦ୍‌ ପାଳନ କରିବା ଲାଗି ଘରକୁ ଫେରିଥିଲି। ଏଥର ମୁଁ ଆଣିଥିବା ଛେଳି ଓ ମେଣ୍ଢା ପଲ ମଧ୍ୟରୁ ମାତ୍ର ୧୫ଟି ବିକ୍ରି ହୋଇଛି। ଯାହା ଜଣାପଡ଼ୁଛି ଅନ୍ୟଗୁଡ଼ିକୁ ଫେରାଇ ନେବାକୁ ପଡ଼ିବ। ବଜାର ବନ୍ଦ ଥିବାରୁ ନିଜ ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ମଧ୍ୟ ସେ ସଂଘର୍ଷ କରୁଛନ୍ତି। ରାସ୍ତାକଡ଼ରେ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ବେପାରୀମାନେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଷ୍ଟଲ୍‌ ଲଗାଇବା ଲାଗି ସେମାନଙ୍କୁ ଅନୁମତି ମିଳୁନାହିଁ। ଇଦ୍‌ ସମୟରେ ଏହି ବଜାରରେ ଗ୍ରାହକଙ୍କ ସମାଗମ ହୋଇଥାଏ। ‌ଗ୍ରାମାଞ୍ଚଳ ଓ କଶ୍ମୀରର କୋଣ ଅନୁକୋଣରୁ ଗରିବ ଲୋକମାନେ ଆସି ଏହି ବଜାରରୁ କମ୍ ଦାମ୍‌ରେ ନିଜ ପାଇଁ ପୋଷାକ କିଣିଥାନ୍ତି। ଚଳିତ ବର୍ଷ କିନ୍ତୁ ସେହି ବଜାର ବନ୍ଦ ରହିଛି। ନିଜ ଷ୍ଟଲ୍‌ ଖୋଲିବାର ସମ୍ଭାବନାକୁ ପରଖିବା ଲାଗି ପ୍ରତିଦିନ ବେପାରୀମାନେ ବଜାରକୁ ଆସୁଛନ୍ତି ଓ ନିରାଶ ହୋଇ ଘରକୁ ଫେରିଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର