ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ବିଭାଗ ପକ୍ଷରୁ ଓଡ଼ିଶା ଏମ୍ଏସ୍‌ଏମ୍ଇ ବିକାଶ ନୀତି ୨୦୨୨ ଅଧୀନରେ ଷ୍ଟାମ୍ପ୍‌ ଡ୍ୟୁଟି ଛାଡ଼ ଓ ଫେରସ୍ତ ପାଇଁ ରହିଥିବା ପରିଚାଳନା ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି। ଉଦ୍ୟୋଗୀମାନଙ୍କ ପାଇଁ ଶିଳ୍ପ ସ୍ଥାପନକୁ ସରଳ ଓ ସୁଗମ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ସଂଶୋଧିତ ମାର୍ଗଦର୍ଶିକା‌ ଅନୁସ‌ାରେ କାରଖାନା ଓ ମେସିନ୍‌ରେ ହୋଇଥିବା ନିବେଶ ଯଦି ୧୦ କୋଟି ଟଙ୍କା ମଧ୍ୟରେ ରହିଥିବ, ତେବେ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି)ର ମହାପ୍ରବନ୍ଧକ ପ୍ରକଳ୍ପକୁ କେତେ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ ତାହାର ନିଷ୍ପତ୍ତି ନେଇପାରିବେ ଏବଂ ଇଡ୍‌କୋ କିମ୍ବା ଅନ୍ୟ ଯେକୌଣସି ସଂସ୍ଥା ସହ ହୋଇଥିବା ବିକ୍ରି ରାଜିନାମା (ସେଲ୍‌ ଡିଡ୍‌)ରେ ତାହା ଉଲ୍ଲେଖ କରିପାରିବେ। ତିନି ଦିନ ମଧ୍ୟରେ ସେ ଏହି କାର୍ଯ୍ୟ କରିବେ ବୋଲି ବିଭାଗ ଉଲ୍ଲେଖ କରିଛି।

Advertisment

ତେବେ, କାରଖାନା ଓ ମେସିନ୍‌ରେ ହୋଇଥିବା ନିବେଶ ଯଦି ୧୦ କୋଟି ଟଙ୍କାରୁ ଅଧିକ, କିନ୍ତୁ ୫୦ କୋଟି ଟଙ୍କାରୁ କମ୍ ହୋଇଥିବ, ସେଭଳି ସ୍ଥଳରେ ଡିଆଇସି ମହାପ୍ରବନ୍ଧକ ସେଲ୍‌ ଡିଡ୍‌କୁ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପଠାଇବେ। ସେହି ପ୍ରସ୍ତାବକୁ ଶିଳ୍ପ ନିର୍ଦ୍ଦେଶକ ଯାଞ୍ଚ କରିବେ ଏବଂ ଯଦି ସେଥିରେ ସନ୍ତୁଷ୍ଟ ହେବେ ତେବେ ସେଲ୍‌ ଡିଡ୍‌ରେ ସ୍ବାକ୍ଷର କରି ତାହାକୁ ସେ ଡିଆଇସି ମହାପ୍ରବନ୍ଧକଙ୍କ ପାଖକୁ ପଠାଇଦେବେ। ସଂଶୋଧିତ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ ଯେଉଁ ସଂସ୍ଥାଗୁଡ଼ିକ ଏକକାଳୀନ ଷ୍ଟାମ୍ପ ଡ୍ୟୁଟି ଦାଖଲ କରିବାକୁ ପସନ୍ଦ କରିବେ, ସେମାନଙ୍କୁ କେବଳ ଷ୍ଟାମ୍ପ ଡ୍ୟୁଟି ଫେରସ୍ତ ସୁବିଧା ମିଳିବ। ଶିଳ୍ପ ସଂସ୍ଥା ଆବେଦନ କରିବାର ୩୦ ଦିନ ଭିତରେ ଡିଆଇସି ମହାପ୍ରବନ୍ଧକ ଷ୍ଟାମ୍ପ ଡ୍ୟୁଟି ଫେରସ୍ତ ସୁବିଧା ପ୍ରଦାନ କରିବେ। ଆବେଦନ ମଞ୍ଜୁର ହେବା ୧୫ ଦିନରେ ଡିଆଇସି ମହାପ୍ରବନ୍ଧକ ଷ୍ଟାମ୍ପ ଡ୍ୟୁଟି ଫେରସ୍ତ ରାଶିକୁ ଶିଳ୍ପ ସଂସ୍ଥା ବ୍ୟାଙ୍କ ଖାତାରେ ଜମା କରିବେ।

ଏ ସମ୍ପର୍କରେ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍ ଏଣ୍ଟରପ୍ରାଇଜେସ୍‌ର ମହାସଚିବ ସାତ୍ତ୍ବିକ ସ୍ବାଇଁ କହିଛନ୍ତି ଯେ ଏକ ଶିଳ୍ପ ସ୍ଥାପନ କରିବା ଲାଗି ସମୟ ଲାଗିଥାଏ। ସମୟ କିଭଳି କମ୍ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ। ପରିଚାଳନା ମାର୍ଗଦର୍ଶିକାରେ ସଂଶୋଧନ କରି ସେହି ସମୟକୁ କମ୍ କରାଯାଇଛି। ସେଥିପାଇଁ ଆମେ ସରକାରଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଛୁ। ଷ୍ଟାମ୍ପ ଡ୍ୟୁଟି ଛାଡ଼ ଓ ଫେରସ୍ତ ଆବେଦନ ପ୍ରକ୍ରିୟାରେ ଗୋଟିଏ ସୋପାନ କମ କରିବାକୁ ଚାରି ପାଞ୍ଚ ମାସ ପୂର୍ବେ ଓସ୍‌ମି ପକ୍ଷରୁ ସରକାରଙ୍କୁ କୁହାଯାଇଥିଲା। ପୂର୍ବରୁ ଏଥିପାଇଁ ଡିଆଇସି ସ୍ତରରେ ଯେଉଁ ଦ୍ବନ୍ଦ୍ବ ରହିଥିଲା ତାହା ଦୂର ହୋଇଥିବା ସେ କହିଛନ୍ତି।