‘ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ’ ବଦଳାଇଲାନି ରେଟିଂ

ନୂଆଦିଲ୍ଲୀ: ମୁଡିସ୍‌ ପକ୍ଷରୁ ରେଟିଂରେ ଉନ୍ନତି ଅଣାଯିବା ପରେ ଉତ୍ସାହିତ ଥିବା କେନ୍ଦ୍ର ସରକାର ଆଶା କରୁଥିଲେ ଅନ୍ୟ ଏଜେନ୍‌ସିଗୁଡ଼ିକ ମଧ୍ୟ ରେଟିଂରେ ଉନ୍ନତି ଆଣିବେ। ମାତ୍ର ତାହା ହୋଇନାହିଁ। ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ (ଏସ୍‌ଆଣ୍ଡପି) ପକ୍ଷରୁ ଭାରତର ରେଟିଂକୁ ‘ବିବିବି ମାଇନସ୍‌’ରେ ଅପରିବର୍ତିତ ଏବଂ ଆଉଟଲୁକ୍‌କୁ ‘ଷ୍ଟେବଲ୍‌’ ରଖାଯାଇଛି। ନିମ୍ନ ମୁଣ୍ଡପିଛା ଆୟ ଓ ସରକାରୀ ଋଣ ପରିମାଣ ଅଧିକ ରହିଥିବାରୁ ରେଟିଂରେ ଉନ୍ନତି ଅଣାଯାଇନାହିଁ ବୋଲି ଏସ୍‌ଆଣ୍ଡ୍‌ପି ପକ୍ଷରୁ କୁହାଯାଇଛି।

ଭାରତ ବିଷୟରେ ଏସ୍‌ଆଣ୍ଡ୍‌ପି ପକ୍ଷରୁ କୁହାଯାଇଛି ଯେ ବିଗତ ଦୁଇଟି ତ୍ରୈମାସିକରେ ଅଭିବୃଦ୍ଧି ହାର ଆଶାଠାରୁ କମ୍‌ ରହିଥିଲେ ମଧ୍ୟ ୨୦୧୮-୨୦୨୦ରେ ଅର୍ଥନୀତିର ଅଭିବୃଦ୍ଧି ସୁଦୃଢ଼ ହେବ। ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହେବ। ମାତ୍ର ବିତ୍ତୀୟ ନିଅଣ୍ଟ, ନିମ୍ନ ମୁଣ୍ଡପିଛା ଆୟ ଏବଂ ଅଧିକ ପରିମାଣର ସରକାରୀ ଋଣ ଭାରତର କ୍ରେଡିଟ୍‌ ରେଟିଂକୁ ପ୍ରଭାବିତ କରିଛି। ସରକାରୀ ଋଣ ପରିମାଣର ଯଦି ହ୍ରାସ ପାଇବ ତେବେ ରେଟିଂ ବଢ଼ିବାର ସମ୍ଭାବନା ରହିଛି। ମାତ୍ର ଅଭିବୃଦ୍ଧି ହାର ଯଦି ଆହୁରି ଖସିବ ତେବେ ରେଟିଂ କମ୍‌ ହୋଇପାରେ ବୋଲି ମଧ୍ୟ ଏସ୍‌ଆଣ୍ଡପି ଭାରତକୁ ଚେତାଇ ଦେଇଛି। ଦୀର୍ଘ ୧୪ ବର୍ଷ ପରେ ମୁଡିସ୍‌ ପକ୍ଷରୁ ଗତ ସପ୍ତାହରେ ଭାରତର କ୍ରେଡିଟ୍‌ ରେଟିଂରେ ଉନ୍ନତି ଅଣାଯାଇଛି। ସେଥିରେ ସରକାର ବହୁତ ଉତ୍ସାହିତ ହୋଇଯାଇଥିଲେ। ମୁଡିସ୍‌ ପକ୍ଷରୁ ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ଏସ୍‌ଆଣ୍ଡ୍‌ପି ରେଟିଂରେ ଉନ୍ନତି ନକରିବାରୁ ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଏସ୍‌ଆଣ୍ଡପି ବହୁତ ରକ୍ଷଣଶୀଳ। ଏହା ରେଟିଂରେ ଉନ୍ନତି ଆଣିବ ବୋଲି ଆମେ ଆଶା କରୁନଥିଲୁ।

ସମ୍ବନ୍ଧିତ ଖବର