ଧନୀଙ୍କ ପାଇଁ ଧାଡ଼ିରେ ଠିଆ ହୋଇ ଦିନକୁ ୧୬ ହଜାର ଟଙ୍କା ରୋଜଗାର

ଲଣ୍ଡନ,: ଧାଡ଼ିରେ ଠିଆ ହେବା ଏକ ଅତ୍ୟନ୍ତ ବିରକ୍ତିକର କାର୍ଯ୍ୟ। କିଛି ମିନିଟ୍ ପାଇଁ ମଧ୍ୟ ଲୋକମାନେ ଧାଡ଼ିରେ ଠିଆ ହେବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ବ୍ରିଟେନ୍‌ର ଫୁଲ୍‌ହାମ୍‌ରେ ବାସ କରୁଥିବା ଫ୍ରେଡି ବେକିଟ୍‌ଙ୍କ ପାଇଁ ଏହା ଆୟର ଏକ ବଡ଼ ମାଧ୍ୟମ ପାଲଟିଛି। ସେ ଧନୀ ଲୋକମାନଙ୍କ ପାଇଁ ଧାଡ଼ିରେ ଠିଆ ହୋଇ ଦିନକୁ ୧୬,୨୪୮ ଟଙ୍କା (୧୬୦ ପାଉଣ୍ଡ) ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସେ ନିଜକୁ ଜଣେ ପେସାଦାର ୱେଟର୍‌ ବା ଧାଡ଼ିରେ ଠିଆ ହେବା ବ୍ୟକ୍ତି ଭାବେ ପରିଚିତ କରିପାରିଛନ୍ତି। ଯେଉଁ ଧନୀ ଲୋକଙ୍କ ପାଖରେ ଧନ ଅଛି ଓ ସହରରେ ଆୟୋଜନ ହେଉଥିବା ଲୋକପ୍ରିୟ କାର୍ଯ୍ୟକ୍ରମରେ ଯୋଗ ଦେବାର ମନ ଅଛି, କିନ୍ତୁ ଧାଡ଼ିରେ ଠିଆ ହୋଇ ଟିକଟ କିଣିବା ଲାଗି ସମୟ ନାହିଁ ସେମାନଙ୍କ ପାଇଁ ଫ୍ରେଡି ଧାଡ଼ିରେ ଠିଆ ହେଉଛନ୍ତି। ଫ୍ରେଡି ଦିନକୁ ୮ ଘଣ୍ଟା କାମ କରୁଛନ୍ତି। ଧାଡ଼ିରେ ଠିଆ‌ ହୋଇ ଧନୀ ଲୋକଙ୍କ କାମ କରିବା ଲାଗି ତାଙ୍କୁ ୩-୪ ଘଣ୍ଟା ଦେବାକୁ ପଡ଼ୁଛି। ଏହାବାଦ ପ୍ରାୟ ଚାରି ଘଣ୍ଟା ସେହି ଲୋକମାନଙ୍କୁ ଅପେକ୍ଷା କରି ସେମାନଙ୍କ ଟିକଟ ବା ଜିନିଷ ହସ୍ତାନ୍ତର କରିବା ଓ ପେମେଣ୍ଟ୍‌ ଗ୍ରହଣ କରିବାକୁ ପଡ଼ୁଛି।

ଫ୍ରେଡି କହିଛନ୍ତି ଯେ ଲମ୍ବା ଧାଡ଼ିରେ ଠିଆ ହେବା ସହଜ କାର୍ଯ୍ୟ ନୁହେଁ। ଅତି ଧୀରେ ଧୀରେ ଆଗକୁ ବଢ଼ୁଥିବା ଧାଡ଼ିରେ କିଭଳି ବିରକ୍ତ ନହୋଇ ଠିଆ ହୋ‌ଇହେବ ତାହାର କଳାକୁ ସେ ଶିଖିଛନ୍ତି। ଶୀତଦିନ ପ୍ରବଳ ଥଣ୍ଡାରେ ଓ ଗ୍ରୀଷ୍ଣ ଋତୁର ଅତ୍ୟଧିକ ଗରମରେ ମଧ୍ୟ ସେ ଧାଡ଼ିରେ ଠିଆ ହୋଇ ବଡ଼ ଧରଣର କାର୍ଯ୍ୟକ୍ରମ ପାଇଁ ଧନୀ ଲୋକମାନଙ୍କ ଲାଗି ଟିକଟ ସଂଗ୍ରହ କରୁଛନ୍ତି। କେବଳ ଟିକଟ ନୁହେଁ, ସେ ସୁପରମାର୍କେଟ୍‌, ମଲ୍‌, ଥିଏଟର, ଷ୍ଟାଡିୟମ, ମଦ ଦୋକାନ, ଗ୍ୟାଲେରି ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ଯେଉଁଠାରେ ଲୋକମାନଙ୍କ ଲମ୍ବା ଧାଡ଼ି ରହୁଛି ସେଠାରେ ଠିଆ ହୋଇ ଧନୀ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଆଣୁଛନ୍ତି ଓ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ଯେଉଁମାନଙ୍କ ପାଇଁ ସେବା ଯୋଗାଉଛନ୍ତି ସେମାନଙ୍କ ମଧ୍ୟରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବୟସ ବର୍ଗର ଲୋକ ରହିଛନ୍ତି। ‘ଟାସ୍କରାବିଟ୍‌’ ନାମକ ଏକ ସଂସ୍ଥାରେ ସେ ନିଜେ ଯୋଗାଉଥିବା ସେବାଗୁଡ଼ିକର ବିଜ୍ଞାପନ କରୁଛନ୍ତି। କେବଳ ଧାଡ଼ିରେ ଠିଆ ହେବା ନୁହେଁ, ବରଂ ଜିନିଷ ପ୍ୟାକିଂ କରିବା, ତାହାକୁ ଉଡ଼ାଇ ଅନ୍ୟ ସ୍ଥାନକୁ ନେବାରେ ସାହାଯ୍ୟ କରିବା, ବଗିଚା କାମ କରିବା, ପୋଷା ପଶୁମାନଙ୍କ ଦେଖାଶୁଣା କରିବା ଆଦି ସେବା ସେ ପ୍ରଦାନ କରୁଛନ୍ତି। ‌ଏଥିପାଇଁ କୌଣସି ବିଶେଷ ଦକ୍ଷତା ଦରକାର ପଡ଼ୁନଥିବାରୁ ସେ ଘଣ୍ଟା ପିଛା ୨୦ ପାଉଣ୍ଡ୍‌ରୁ ଅଧିକ ପେମେଣ୍ଟ୍‌ ଦାବି କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର