ନୂଅାଦିଲ୍ଲୀ: ଗାଡ଼ିର ନିରାପତ୍ତା ବୃଦ୍ଧି କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଗାଡ଼ିର ନିରାପତ୍ତା ମାନଦଣ୍ଡ ଅନୁଯାୟୀ ଗାଡ଼ି ଗୁଡ଼ିକୁ ଷ୍ଟାର ରେଟିଂ ପ୍ରଦାନ କରାଯିବା ନେଇ ଯୋଜନା କରାଯାଉଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏ ନେଇ ଏକ ସ୍ବତନ୍ତ୍ର ଏଜେନ୍ସି ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦେଇଛି। ଏହି ନୂଆ ଯୋଜନାକୁ ନୂଆ ଯାନ ଆକଳନ କାର୍ଯ୍ୟକ୍ରମ ନାମ ଦିଆଯିବ। ଭାରତରେ ବିକ୍ରି ହେଉଥିବା ଗାଡ଼ି ଗୁଡ଼ିକର ସୁରକ୍ଷା ପରୀକ୍ଷା ଏହି ଏଜେନ୍ସି କରିବ। ଉଲ୍ଲେଖଯୋଗ୍ୟ, କାର୍ ଗୁଡ଼ିକରେ ଏୟାରବ୍ୟାଗ୍, ଆଣ୍ଟିଲକ୍ ଏବିଏସ୍, ପାଦଚଲା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବାକୁ ମନ୍ତ୍ରାଳୟ ଯୋଜନା ଚଳାଇଛି। ଏଥିସହିତ ନୂଆ ଗାଡ଼ି ଗୁଡ଼ିକରେ ଇଲେକଟ୍ରୋନିକ ଷ୍ଟାବିଲିଟି ସିଷ୍ଟମ (ଇଏସସି) ଏବଂ ଅଟୋନୋମସ ଏମର୍ଜେନ୍ସି ବ୍ରେକିଂ (ଏଇବି)କୁ ଉପଲବ୍ଧ କରାଇବା ଲାଗି ମନ୍ତ୍ରାଳୟ ଯୋଜନା ଚଳାଇଛି। ଏସବୁ ସୁବିଧା ୨୦୨୨ରୁ ସାମିଲ କରାଇବା ଯୋଜନା ଚାଲିଛି। ଏତଦବ୍ୟତୀତ ଦୁଇ ଚକିଆ ଯାନ ଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ସୁବିଧା କରାଇବା ପାଇଁ ଯୋଜନା ଚାଲିଛି। ଭାରତରେ ସମୁଦାୟ ଅଟୋମୋବାଇଲରେ ଦୁଇ ଚକିଆ ଯାନର ଅଂଶ ପ୍ରାୟ ୭୨ ପ୍ରତିଶତ ରହିଛି। ଦୁଇ ଚକିଆ ଯାନ ଯୋଗୁଁ ଦେଶରେ ସଡ଼କ ଦୁର୍ଘଟଣାରେ ୫୦ ପ୍ରତିଶତରୁ ଅଧିକ ବ୍ୟକ୍ତି ମୃତାହତ ହେଉଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଅଭୟ ଡାମଲି କହିଛନ୍ତି, କେବଳ ବିଳାସପୂର୍ଣ୍ଣ ଗାଡ଼ି ନୁହେଁ, ଦେଶରେ ସବୁ ଗାଡ଼ି ଗୁଡ଼ିକରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବା ଆବଶ୍ୟକ।
ଗାଡ଼ିକୁ ମିଳିବ ଷ୍ଟାର୍ ରେଟିଂ
/sambad/media/post_attachments/wp-content/uploads/2018/09/a-five-star-rating-vector-19077413.jpg)