୨୦୨୨ ଡିସେମ୍ବରରୁ ଭାରତରେ ଆରମ୍ଭ ହେବ ଷ୍ଟାରଲିଙ୍କର ସେବା, ମିଳିବ ହାଇସ୍ପିଡ଼ ଇଣ୍ଟରନେଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଡିସେମ୍ବରରୁ ଭାରତରେ ବହୁପ୍ରତୀକ୍ଷିତ ଷ୍ଟାରଲିଙ୍କର ସେବା ଆରମ୍ଭ ହେବାକୁ ଯାଉଛି | ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ୟାଟେଲାଇଟ କମ୍ପାନୀ ଷ୍ଟାରଲିଙ୍କ ଆସନ୍ତା ବର୍ଷ ଡିସେମ୍ବରରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବ। ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ କମ୍ପାନୀ ଦେଶର ଦଶଟି ଗ୍ରାମୀଣ ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବ। ଗ୍ରାମାଞ୍ଚଳର ପରିବର୍ତ୍ତିତ ଜୀବନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗର ଗୁରୁତ୍ୱ ଉପରେ କମ୍ପାନୀ ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ ସରକାରୀ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିବ।

ସ୍ପେସ୍ ଏକ୍ସର ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ୟୁନିଟ୍ ସରକାରଙ୍କ ଅନୁମୋଦନ କ୍ରମେ ଦୁଇ ଲକ୍ଷ ସକ୍ରିୟ ଟର୍ମିନାଲ୍ ସହିତ ଡିସେମ୍ବର ୨୦୨୨ରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଭାରତର ଷ୍ଟାରଲିଙ୍କର ନିର୍ଦ୍ଦେଶକ ଥିବା ସଞ୍ଜୟ ଭର୍ଗବ ରବିବାର ଦିନ କହିଛନ୍ତି ଯେ ମୁଁ ସଚିବମାନଙ୍କ ସହ ୩୦ ମିନିଟର ଭର୍ଚୁଆଲ୍ ବାର୍ତ୍ତାଳାପ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ଭାରତକୁ ପଠାଯାଇଥିବା ୮୦ ପ୍ରତିଶତ ଷ୍ଟାରଲିଙ୍କ ଟର୍ମିନାଲ୍ ପାଇଁ ଆମେ ବୋଧହୁଏ ଦଶଟି ଗ୍ରାମୀଣ ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବୁ। ଏହା ପୂର୍ବରୁ ସଞ୍ଜୟ କହିଥିଲେ ଯେ ଲଞ୍ଚ ହେବା ପୂର୍ବରୁ ଭାରତରେ ୫ ହଜାରରୁ ଅଧିକ ଜଣ ଷ୍ଟାରଲିଙ୍କ ସଂଯୋଗ ପାଇଁ ଆବେଦନ କରିସାରିଛନ୍ତି | କମ୍ପାନୀ ଗ୍ରାହକଙ୍କ ପାଇଁ ୯୯ ଡଲାର ବା ୭,୩୫୦ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛି | ଆଉ ଗ୍ରାହକଙ୍କୁ ପ୍ରତି ସେକେଣ୍ଡରେ ୫୦ ମେଗାବିଟରୁ ୧୫୦ ମେଗାବିଟ ଇଣ୍ଟରନେଟ ସ୍ପିଡ ଯୋଗାଇବାକୁ କମ୍ପାନୀ ପ୍ରତିଶୃତି ଦେଇଛି।

ସମ୍ବନ୍ଧିତ ଖବର