ଉପକୂଳ ରାଜପଥରେ ପରିବର୍ତ୍ତନ ପାଇଁ ଓଡ଼ିଶାର ପ୍ରସ୍ତାବ: ତର୍ଜମା କରୁଛି ‘ଏନ୍‌ଏଚ୍‌ଏଆଇ’

୩ ପ୍ରକଳ୍ପର ଭୂମିପୂଜା ଆଜି

ଭୁବନେଶ୍ବର: ରାଜ୍ୟରେ ନିର୍ମାଣ କରାଯାଉଥିବା ୪୧୫ କିଲୋମିଟରର ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାର ତର୍ଜମା କରାଯାଉଛି ବୋଲି ଭାରତୀୟ ଜାତୀୟ ରାଜପଥ କତୃର୍ପକ୍ଷ (ଏନ୍‌ଏଚ୍‌ଏଆଇ)ର ସିଜିଏମ୍ ରାମ ପ୍ରସାଦ ପଣ୍ଡା କହିଛନ୍ତି। ସେ କହିଲେ, ଓଡ଼ିଶା ଚାହୁଁଛି ଉପକୂଳ ରାଜପଥ ସମୁଦ୍ର ପାଖାପାଖି ରହୁ। ଯେହେତୁ ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ ହୋଇସାରିଛି, ତେଣୁ ରାଜ୍ୟର ପ୍ରସ୍ତାବକୁ ବିଚାରକୁ ନେଲେ ଅଧିକ ପୋଲ ଏବଂ କଲଭର୍ଟ ନିର୍ମାଣ କରିବାକୁ ପଡ଼ିବ। ଏହା ଦ୍ବାରା ପ୍ରକଳ୍ପର ଖର୍ଚ ବହୁତ ବଢ଼ିଯିବ। ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଯେଉଁ ଡିପିଆର୍‌ ଦେଇଛନ୍ତି ତାହା ଉପରେ ବିଚାରବିମର୍ଶ ଜାରି ରହିଛି। ନିଷ୍ପତ୍ତି ନେବା ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି। ସେ କହିଲେ, ଉପକୂଳ ରାଜପଥ ପ୍ରକଳ୍ପକୁ ମୋଟ୍‌ ୬ଟି ପ୍ୟାକେଜ୍‌ରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୮୦୦୦ କୋଟି ଟଙ୍କା ଏବଂ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବାରେ ୧୦୦୦ କୋଟି ଟଙ୍କା ଖର୍ଚ ହେବ। ସିଆର୍‌ଜେଡ୍‌ ପ୍ୟାକେଜ୍‌ ପାଇଁ ଏନ୍‌ଏଚ୍‌ଏଆଇ ଆବେଦନ କରିଥିବା ସେ କହିଛନ୍ତି। ରାଜ୍ୟରେ ୨୦୬୭.୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୧୧୯.୫ କିମି ରାଜପଥ ପ୍ରକଳ୍ପର ଭୂମିପୂଜା କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିବାକୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ କହିଲେ, ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତିନିଟି ରାଜପଥ ପ୍ରକଳ୍ପର ଭୂମିପୂଜା କରିବେ। ସେହି ତିନି ପ୍ରକଳ୍ପ ହେଉଛି ୬୨.୬୪ କିମିର ଭଦ୍ରକ-ବାଲେଶ୍ବର ରାଜପଥକୁ ୬ ଲେନ୍ କରିବା, ଟାଙ୍ଗି-ଭୁବନେଶ୍ବରକୁ ୬ ଲେନ୍ କରିବା ଏବଂ ଭୁବନେଶ୍ବର-ଚଣ୍ଡିଖୋଲ ସେକ୍ସନରେ ତିନିଟି ଯାନାବହନ ଯାତାୟାତ ପାଇଁ ଅଣ୍ଡର୍‌ପାସ୍‌ ନିର୍ମା‌ଣ କରିବା। ସମସ୍ତ ପ୍ରକଳ୍ପ ଏନ୍‌ଏଚ୍‌-୫ରେ ହେବ। ଆସନ୍ତା ୩୦ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବାଲିକୁଦା, ବଡ଼ଚଣା ଓ ଶିଖରପୁର ଠାରେ ଅଣ୍ଡର୍‌ପାସ୍‌ ନିର୍ମାଣ କରାଯିବ। ଭଦ୍ରକ-ବାଲେଶ୍ବର ରାଜପଥରେ ୮୪୪.୬୭ କୋଟି ଟଙ୍କା ବିନିଯୋଗରେ ୬୨.୬୪ କିମି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପରେ ୫ ପ୍ରମୁଖ ପୋଲ, ୨ଟି ଛୋଟ ପୋଲ, ୬ ଭେଇକୁଲାର୍‌ ଆଣ୍ଡର୍‌ପାସ୍ ଏ୧୦ ୩୬ କିମିର ସର୍ଭିସ୍‌ ରୋଡ୍ ନିର୍ମାଣ କରାଯିବ। ସେହିପରି, ୧୧୭୫.୩୦ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବର-ଟାଙ୍ଗି ରାଜପଥ ୫୬.୭୭ କିମି ରାସ୍ତାକୁ ୬ ଲେନ୍ କରାଯିବ। ଏଥିରେ ୪ଟି ପ୍ଲାଏ୍‌ଓଭର୍‌, ୮ ଛୋଟ ବ୍ରିଜ୍ ଏବଂ ୪୭ କିମିର ସର୍ଭିସ୍‌ ରୋଡ୍‌ ନିର୍ମାଣ କରାଯିବ। ଉଲ୍ଲେଖଯୋଗ୍ୟ, ସାତପଡ଼ା-ପୁରୀ (୪୩ କିମି) ଏବଂ କୋଣାର୍କ-ଅସ୍ତରଙ୍ଗ (୪୦ କିମି) ରାସ୍ତାକୁ ସମୁଦ୍ର ଆଡ଼କୁ ଆଉ ୪-୫ କିମି ଘୁଞ୍ଚାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପକୁ ନେଇ ଏନ୍‌ଏଚ୍‌ଏଆଇ ଯେଉଁ ପୁରୁଣା ପ୍ରସ୍ତାବ ଦେଇଥିଲା ତାହାକୁ ରାଜ୍ୟ ସରକାର ଖାରଜ କରିଦେଇଥିଲା। ନୂଆ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କହିଥିଲେ। ଗତ ‌୧୩ ତାରିଖରେ ସଚିବାଳୟ ଠାରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏନ୍‌ଏଚ୍‌ଏଆଇର ପ୍ରସ୍ତାବକୁ ସରକାର ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଏବର୍ଷ ୧୪୦ କିମି ରାସ୍ତା ତିଆରି ହେବ
ଏନ୍‌ଏଚ୍‌ଏଆଇ ରାଜ୍ୟରେ ବର୍ଷକୁ ହାରାହାରି ୫୫-୬୦ କିମି ରାସ୍ତା ନିର୍ମାଣ କରୁଥିଲା। ଚଳିତ ବର୍ଷ ଦୁଇଗୁଣା ଅଧିକ ରାସ୍ତା ନିର୍ମାଣ କରିବ। ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ଏହା ୯୦ କିମି ରାସ୍ତା ନିର୍ମାଣ କରିସାରିଲାଣି। ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି ଯେ, ମାର୍ଚରେ ଆର୍ଥିକ ବର୍ଷ ଶେଷ ହେବା ବେଳକୁ ଏହା ୧୩୦-୧୪୦ କିମି ରାସ୍ତା ନିର୍ମାଣ କରିପାରିବ। ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ୫୬୨୮ କିମିର ୩୧ଟି ପ୍ରକଳ୍ପ ରହିଛି। ୨୪ଟି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ସବୁ ପ୍ରକଳ୍ପରେ ମୋଟ ୧୫୬୦ କିମି ରାସ୍ତା ନିର୍ମାଣ କରାଯିବ ଯେଉଁଥିରେ ୨୩୬୬୦ କୋଟି ଟଙ୍କା ଖର୍ଚ କରାଯିବ। ଭାରତମାଳା ପ୍ରକଳ୍ପ ଅଧୀନରେ ଏନ୍‌ଏଚ୍‌ଏଆଇ ୧୬୪୫ କିମି ରାସ୍ତା ନିର୍ମାଣ କରିବ ଯେଉଁଥିପାଇଁ ଡିପିଆର୍‌ ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ରହିଛି। ଆସନ୍ତା ବର୍ଷ ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ଭାରତମାଳା ପ୍ରକଳ୍ପରେ ୯୫୦୦ କୋଟି ଟଙ୍କା ଖର୍ଚ ହେବ। ୯୩ କିମି ବିଶିଷ୍ଟ ରାଜଧାନୀ ଅଞ୍ଚଳ ରିଙ୍ଗ୍‌ ରୋଡ୍‌ରେ ୨୫୦୦ କୋଟି ଟଙ୍କା ବିନିଯୋଗ ହେବ। ଆସନ୍ତା ଚାରି ବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର