ଆରମ୍ଭ ହେଲା ମେଗା ବାଣିଜ୍ୟ ମେଳା, ୭ ଦେଶ, ୧୧ ରାଜ୍ୟର ଉତ୍ପାଦ ପ୍ରଦର୍ଶନ

୪ ତାରିଖ ଯାଏଁ ଚାଲିବ, ମଧ୍ୟାହ୍ନରୁ ରାତି ୯ଟା ଯାଏ‌ ଖୋଲାରହିବ

ଭୁବନେଶ୍ବର: ରିଅଲ୍‌ ଇଷ୍ଟେଟ୍‌ ଡେ‌ଭଲପର୍‌ ସଂଘ (ରେଡା), ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଜି.ଏସ୍‌ ମାର୍କେଟିଂ ଆସୋସିଏସନ୍‌ସ୍‌ର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି ‘ଇଣ୍ଡିଆ ଇଣ୍ଟରନେସ୍‌ନାଲ୍‌ ମେଗା ଟ୍ରେଡ୍ ଫେୟାର’। ବାଂଲାଦେଶ, ଆଫ୍‌ଗାନିସ୍ଥାନ, ଥାଇଲାଣ୍ଡ ଓ ତୁର୍କୀ ସମେତ ମେଳାରେ ୭ଟି ଦେଶ ଏବଂ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ସମେତ ୧୧ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଏହି ମେଳାରେ ରେଡା ପ୍ରାୟୋଜିତ ହୋମ୍‌ ଆଣ୍ଡ୍‌ ଡେକର୍‌ ସହ ବିଭିନ୍ନ ଆନ୍ତର୍ଜାତିକ ଉତ୍ପାଦ, ଘରସଜ୍ଜା ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ, ପୋଷାକ, ଇଲେକ୍‌ଟ୍ରନିକ୍ସ, ଫର୍ଣ୍ଣିଚର୍, ସ୍ବାସ୍ଥ୍ୟ, ବିୟୁଟି ଆଣ୍ଡ ଫିଟ୍‌ନେସ୍‌, ପ୍ରୋସେସ୍‌ଡ୍‌ ଫୁଡ୍‌, ମଡ୍ୟୁଲାର୍‌ କିଚେନ୍‌ ଓ ଛୋଟ ପିଲାଙ୍କ ଖେଳଣା ସାମଗ୍ରୀ ଉପଲବ୍ଧ ହେଉଛି। ଆସନ୍ତା ୪ ତାରିଖ ଯାଏଁ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ଯାଏଁ ଏହି ‌ମେଳା ଚାଲିବ। ମେଳାରେ ପ୍ରବେଶ ଶୁଳ୍କ ୩୦ ଟଙ୍କା ରହିଛି। ପୁଣି ପରିଦର୍ଶନକାରୀଙ୍କ ପାଇଁ ଲକି ଡ୍ର’ ବ୍ୟବସ୍ଥା କରାଯାଇଛି। ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅବସରରେ ରେଡାର ପ୍ରଦର୍ଶନୀ କମିଟିର ଅଧ୍ୟକ୍ଷ ତପନ ମହାନ୍ତି, ୟୁସିସିଆଇର ଅଧ୍ୟକ୍ଷ ରମେଶ ମହାପାତ୍ର, ଡାଇରେକ୍ଟର ଜେନେରାଲ୍‌ ରାଜେନ୍‌ ପାଢ଼ୀ ଓ ଟ୍ରେଡ୍‌ ପ୍ରମୋସନ ଆଣ୍ଡ ବିଜିନେସ୍‌ ଡେଭେଲପ୍‌ମେଣ୍ଟର ଅଧ୍ୟକ୍ଷ ପ୍ରକାଶ ଶାହ ପ୍ରମୁଖ ମଞ୍ଚାସୀନ ଥିଲେ। ମେଳାର ଉଦ୍‌ଘାଟନୀ ଅବସରରେ ନାଲ୍‌କୋ ପକ୍ଷରୁ ଆଗକୁ ଆୟୋଜିତ ହେବାକୁ ଥିବା‌ ଇନ୍‌କାଲ୍‌-୨୦୧୯ର ମାସ୍‌କଟ୍‌ ‘ଆଲୁମୋଫ୍‌’କୁ ପ୍ରଦର୍ଶିତ କରାଯାଇଥିଲା। ନାଲ୍‌କୋ ଡିଜିଏମ୍‌ (କର୍ପୋରେଟ୍ କମ୍ୟୁନିକେସନ୍‌) ଆଶୁତୋଷ ରଥ ଉପସ୍ଥିତ ରହି ଏହାକୁ ଲୋକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର