ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୧୯-୨୦) ବଜେଟ୍ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଆଗାମୀ ବଜେଟ୍ ଅଭିଭାଷଣ କିଭଳି ହେବ ତାହାର ରୂପରେଖ ପ୍ରସ୍ତୁତ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ କାମ ଆରମ୍ଭ କରିଦେଇଛି। ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ ଠାରୁ ମତାମତ ଆହ୍ବାନ କରାଯାଇଛି। ୨୦୧୯-୨୦ର ବଜେଟ୍ ହେବ ନିର୍ବାଚନ ପୂର୍ବରୁ ଏନ୍ଡିଏ ସରକାରଙ୍କ ଶେଷ ବଜେଟ୍। ତେଣୁ ଏକ ଲୋକପ୍ରିୟ ବଜେଟ୍ ଉପସ୍ଥାପନ କରାଯିବାର ଅନେକ ସମ୍ଭାବନା ରହିଛି। ଆଗାମୀ କିଛି ଦିନ ମଧ୍ୟରେ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରାଯିବ। ଇସ୍ପାତ, ଶକ୍ତି, ହାଉସିଂ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହିତ ଆଲୋଚନା କରି ଆସନ୍ତା ଆର୍ଥିକ ବର୍ଷର ଖର୍ଚ୍ଚ ଅଟକଳ ହାସଲ କରାଯିବ। ଏହି ବୈଠକ ନଭେମ୍ବର ୧୬ରେ ହେବ। ବଜେଟ୍ ଅଭିଭାଷଣର ଏକ ଅଂଶ ହେବା ପାଇଁ ବିଭିନ୍ନ ମନ୍ତ୍ରଣାଳୟର କ’ଣ ସବୁ ଦାବି ରହିଛି ତାହା ଜଣାଇବା ପାଇଁ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ ଦିଆଯାଇଛି। ଯେହେତୁ ଆସନ୍ତା ବର୍ଷ ନିର୍ବାଚନ ହେବ ତେଣୁ ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିବା ପାଇଁ ସରକାରଙ୍କୁ ନିର୍ବାଚନ କମିସନଙ୍କ ଅନୁମତି ମିଳିନପାରେ। ଏଭଳି ପରିସ୍ଥିତିରେ ଅନ୍ତରୀଣ ବଜେଟ୍ ଘୋଷଣା କରିବାକୁ ପଡ଼ିବ। ଉଭୟ ସ୍ଥିତି ପାଇଁ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ସେହି ବର୍ଷ ଫେବ୍ରୁଆରି ମାସରେ ଉପା ସରକାରଙ୍କ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଅନ୍ତରୀଣ ବଜେଟ୍ ଘୋଷଣା କରିଥିଲେ। ଏନ୍ଡିଏ ସରକାର ନିର୍ବାଚନରେ ବିଜୟୀ ହେବା ପରେ ଜୁଲାଇ ମାସରେ ଏନ୍ଡିଏର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିଥିଲେ। ଏଥର ସେଭଳି ବଜେଟ୍ ଘୋଷଣା ହେବାର ସମ୍ଭାବନା ରହିଛି। ପ୍ରଥମେ ଅନ୍ତରୀଣ ଓ ପରେ ପୂର୍ଣ୍ଣାଙ୍ଗ ବେ୍ଜଟ୍ ଘୋଷଣା ହୋଇପାରେ। ଚଳିତ ଆର୍ଥିକ ବର୍ଷର ବଜେଟ୍କୁ ଫେବ୍ରୁଆରି ପହିଲାରେ ଘୋଷଣା କରାଯାଇଥିଲା। ସାଧାରଣ ବଜେଟ୍ରେ ରେଳ ବଜେଟ୍କୁ ମିଶାଇ ଦିଆଯାଇଥିଲା। ଯୋଜନା ଓ ଅଣ ଯୋଜନା ଖର୍ଚ୍ଚର ବର୍ଗୀକରଣକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ପ୍ରତିବର୍ଷ ଏପ୍ରିଲ୍ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୁଏ। ଏହା ପୂର୍ବରୁ ସବୁ ମନ୍ତ୍ରଣାଳୟ ଓ ସଂସ୍ଥାଗୁଡ଼ିକୁ ବଜେଟ୍ ଅନୁସାରେ କାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେବା ନିମନ୍ତେ ବଜେଟ୍କୁ ଆଗୁଆ ଘୋଷଣା କରାଯାଉଛି। ପୂର୍ବରୁ ଫେବ୍ରୁଆରି ମାସ ଶେଷ ଦିନରେ ବଜେଟ୍ ଘୋଷଣା କରାଯାଉଥିଲା।
ରାଜନୈତିକ ଅସ୍ତ୍ର ଥିଲା ରେଳ ବଜେଟ୍: ରେଳ ମନ୍ତ୍ରୀ
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଠାରୁୂ ରେଳ ବଜେଟ୍ ଉପସ୍ଥାପନ କରିବା ପ୍ରକ୍ରିୟା ବନ୍ଦ କରିଦିଆଯାଇଛି। ଏହି ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ତାହା ଜଣାଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ। ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, ରେଳ ବଜେଟ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ତାହାକୁ ରୋକିବା ପାଇଁ ରେଳ ବଜେଟ୍କୁ ବନ୍ଦ କରିଦିଆଗଲା। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳର କାର୍ଯ୍ୟ ପ୍ରଣାଳୀକୁ ବଦଳାଇ ଦେଇଛନ୍ତି। ରେଳ ବଜେଟ୍ରେ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରିଦେଇଛନ୍ତି। ସେହି ସବୁ ବିଷୟ ପ୍ରତି ପ୍ରାଥମିକତା ଦିଆଯାଉଛି ଯାହା ଦେଶ ପାଇଁ ଭଲ। କିଛି ରାଜନୈତିକ ବର୍ଗଙ୍କୁ ଖୁସି କରିବା ପାଇଁ ରେଳ ବଜେଟ୍କୁ ଆଉ ବ୍ୟବହାର କରାଯାଇପାରିବନି। ବିଗତ ୬୫ ବର୍ଷରେ ଯେଉଁ ସବୁ ରେଳ ବଜେଟ୍ ଘୋଷଣା କରାଯାଇଥିଲା ସବୁଥିରେ ରାଜନୈତିକ ପ୍ରତିଶ୍ରୁତି ରହୁଥିଲା।