ଷ୍ଟାର୍ଟ ଅପ୍ ଓଡ଼ିଶା : ନିବେଶକଙ୍କ ଆଗରେ ନିଜ ଆଇଡିଆ ରଖିଲେ ୨୦ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶାର ପ୍ରମୁଖ ଅଭିଯାନ ଫଣ୍ଡ ଷ୍ଟାକ ୨.୦କୁ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୦୦ ଷ୍ଟାର୍ଟଅପ ମଧ୍ୟରୁ ବଛାଯାଇଥିବା ୨୦ ଷ୍ଟାର୍ଟଅପ୍ ନିଜ ଚିନ୍ତାଧାରାକୁ ଆମନ୍ତ୍ରିତ ନିବେଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଭୁବନେଶ୍ୱର ଓ ପୁରୀରେ ଆୟୋଜିତ ହୋଇଥିଲା ।

ଏହି ଅସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ସଂସ୍କୃତି ବିକାଶ କରିବା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଷ୍ଟାର୍ଟଅପ୍ ଓ ନିବେଶକମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଲାଗି ଫଣ୍ଡଷ୍ଟାକ୍ ମଂଚ ପ୍ରଦାନ କରିବ । ରାଜ୍ୟରେ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ଆହୁରି ଆଗକୁ ବଢ଼ାଇବା ଲାଗି ସେ ଆମନ୍ତ୍ରିତ ନିବେଶକମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରିଥିଲେ ।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାଏ କହିଛନ୍ତି ଯେ ଫଣ୍ଡଷ୍ଟାକ୍ କେବଳ ଏକ ପ୍ଲାଟଫର୍ମ ନୁହେଁ ଯାହା ଷ୍ଟାର୍ଟଅପ୍ମାନଙ୍କ ପାଇଁ ନିବେଶ ସୁବିଧା ପ୍ରଦାନ କରିବ ବରଂ ଏହା ଦକ୍ଷତା ଗଠନ ଓ ନିବେଶ ପ୍ରସ୍ତୁତି ଲାଗି ମଂଚ ସାବ୍ୟସ୍ତ ହୋଇପାରିବ ଯାହା ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍ମାନଙ୍କୁ ଘରୋଇ ନିବେଶକମାନଙ୍କଠାରୁ ପାଣ୍ଠି ଯୋଗାଡ଼ କରିବାରେ ସହାୟକ ହେବ ଓ ସେମାନେ ନିଜ ସଂସ୍ଥାକୁ ଆଗକୁ ବଢ଼ାଇପାରିବେ ଓ ବ୍ୟବସାୟକୁ ବ୍ୟାପକ କରିପାରିବେ ।

ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ରାଜ୍ୟର ପ୍ରଗତିଶୀଳ ଓ ନିବେଶକ ମିତବ୍ୟୟୀ ଷ୍ଟାର୍ଟଅପ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ଫଣ୍ଡ୍ଷ୍ଟାକ୍ ୨.୦ ହେଉଛି ଆଗାମୀ ଦିନରେ ହେବାକୁ ଥିବା ବୃହତ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ପାଇଁ ଷ୍ଟାର୍ଟଅପ୍ମାନଙ୍କୁ ଆଗକୁ ପ୍ରସ୍ତୁତ କରିବାର ଏକ କାର୍ଯ୍ୟକ୍ରମ ।

ଫଣ୍ଡଷ୍ଟାକ ପ୍ରଥମ ସଂସ୍କରଣକୁ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା ଯେଉଁଠାରେ ୨୦ ପ୍ରମୁଖ ଆଞ୍ଜେଲ ନିବେଶକମାନଙ୍କଠାରୁ ୨୦୦ ଷ୍ଟାର୍ଟଅପ୍ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ । ଚଳିତ ବର୍ଷ ଅଗଷ୍ଟ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଦ୍ୱିତୀୟ ସଂସ୍କରଣ ବିଷୟରେ ଘୋଷଣା କରିଥିଲେ । ଚଳିତ ବର୍ଷ ଏହି ଦୁଇ ଦିନିଆ ପିଚିଂ ଓ ନେଟୱର୍କିଂ କାର୍ଯ୍ୟକ୍ରମକୁ ନିବେଶକମାନଙ୍କ ଲାଗି ପୁଞ୍ଜିନିବେଶ ହାସଲ କରିବା ନିମନ୍ତେ ଆୟୋଜନ କରାଯାଇଛି । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏହାକୁ ଆଗୁଆ ଆୟୋଜନ କରାଯାଇଛି ।
ଷ୍ଟାର୍ଟଅପ ଓଡ଼ିଶାର ସିଇଓ ମହମ୍ମଦ ସାଦ୍ଦିକ ଆଲମ ସ୍ୱାଗତ ଭାଷଣ ଦେଇଥିବା ବେଳେ ଷ୍ଟାର୍ଟଅପ ଓଡ଼ିଶାର ଏଭାଞ୍ଜେଲିଷ୍ଟ ଡ. ସଂଯୁକ୍ତା ବଢ଼ାଇ ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରୋଥ୍ ଫଣ୍ଡ୍ ଉପରେ ବିବରଣୀ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର