ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍‌ ଫଣ୍ଡ୍‌ ସ୍କିମ୍ ଆରମ୍ଭ, ୩୬୦୦ ଷ୍ଟାର୍ଟଅପ୍ ଉପକୃତ ହେବେ

ନୂଆଦିଲ୍ଲୀ: କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ୍ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହା ଜରିଆରେ ଷ୍ଟାର୍ଟଅପ୍ ସଂସ୍ଥା ଓ ଇନ୍‌କୁବେଟରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଚାରି ବର୍ଷିଆ ସ୍କିମ୍‌ରେ ୯୪୫ କୋଟି ଟଙ୍କା ବ୍ୟୟ ହେବ। ଏହା ଦ୍ବାରା ପ୍ରାୟ ୩୬୦୦ ଷ୍ଟାର୍ଟଅପ୍ ଓ ୩୦୦ ଇନ୍‌କୁବେଟର ଉପକୃତ ହେବେ ବୋଲି କୁହାଯାଉଛି। ଶ୍ରୀ ଗୋୟଲ କହିଛନ୍ତି ଯେ ଅଭିନବ ଚିନ୍ତାଧାରାକୁ ବାସ୍ତବ ରୂପ ପ୍ରଦାନ କରିବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଦରକାର ଦେଉଥିବା ପାଣ୍ଠି ସରକାର ଯୋଗାଇ ଦେବେ। ଏହା ଦ୍ବାରା ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।

ଗ୍ରାମାଞ୍ଚଳର ଇନୋଭେଟରମାନେ ମଧ୍ୟ ଏହି ସ୍କିମ୍‌ର ଲାଭ ଉଠାଇବା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି। ଏହି ସ୍କିମ୍ ପାଇଁ ଡିପିଆଇଆଇଟି ପକ୍ଷରୁ ଏକ ଅନ୍‌ଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। ସେହି ପୋର୍ଟାଲ୍ ଜରିଆରେ ସିଡ୍ ଫଣ୍ଡ୍‌ ପାଇଁ ଆବେଦନ କରିହେବ। ଆବେଦନଗୁଡ଼ିକର ପରିଚାଳନା ଲାଗି ବିଭାଗ ତରଫରୁ ଏକ ବିଶେଷଜ୍ଞ ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇଛି। କମିଟି ଯେଉଁ ଇନ୍‌କୁବେଟରମାନଙ୍କୁ ଚୟନ କରିବ ସେମାନଙ୍କୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ଏହି ସ୍କିମ୍‌ର ଗାଇଡ୍‌ଲାଇନ୍ www.startupindia.gov.in ରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର