ଷ୍ଟାର୍ଟଅପ୍‌ରେ ଓଡ଼ିଶା ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’

ଗୁଜରାଟ ବେଷ୍ଟ୍‌ ପରଫର୍‌ମର୍‌: କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ରାଜସ୍ଥାନ ଟପ୍‌ ପରଫର୍‌ମର୍‌

ଆନ୍ଧ୍ର, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଡିଲର୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ (ଡିଆଇପିପି) ପକ୍ଷରୁ ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍‌ ମାନ୍ୟତା ଜାରି କରାଯାଇଛି। ବେଷ୍ଟ୍‌ ପରଫର୍‌ମର୍‌ (ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ) ରାଜ୍ୟ ତାଲିକାରେ କେବଳ ଗୁଜରାଟର ନାମ ରହିଛି। ଏହା ପଛକୁ ରହିଛି ଟପ୍ ପର୍‌ଫର୍‌ମର୍‌ (ଶ୍ରେଷ୍ଠ ପ୍ରଦର୍ଶନକାରୀ) ରାଜ୍ୟଗୁଡ଼ିକର ନାମ। ସେଥିରେ କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ରାଜସ୍ଥାନର ନାମ ରହିଛି। ଲିଡର୍‌ ରାଜ୍ୟ ତାଲିକାରେ ଆନ୍ଧ୍ର, ବିହାର, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ତେଲେଙ୍ଗାନା ନାମ ରହିଛି। ସେହିପରି ଆସ୍‌ପାୟାରିଂ ଲିଡର୍‌ ବର୍ଗରେ ହରିଆନା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ନାମ ରରହିଛି। ଏମର୍ଜିଂ (ଉଦୀୟମାନ) ରାଜ୍ୟ ତାଲିକାରେ ଆସାମ, ଗୋଆ, ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ ଉତ୍ତରାଖଣ୍ଡର ନାମ ଅଛି। ‌ବିଗିନର୍‌ ରାଜ୍ୟ ତାଲିକାରେ ଚଣ୍ଡିଗଡ଼, ମଣିପୁର, ମିଜୋରାମ, ନାଗାଲାଣ୍ଡ୍‌, ପୁଡୁଚେରି, ସିକିମ୍ ଓ ତ୍ରିପୁରା ନାମ ରହିଛି। ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ପରିବେଶ ଓ ହିତାଧିକାରୀମାନଙ୍କ ମତାମତ ବିଚାରକୁ ନେଇ ଏହି ମାନ୍ୟତା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଏମ୍ଏସ୍‌ଏମ୍ଇ ସଚିବ ଏଲ୍‌ ଏନ୍ ଗୁପ୍ତା ଟପ୍ ପରଫର୍‌ମର୍‌ ପ୍ରମାଣପତ୍ରକୁ ଡିଆଇପିପିର ସଚିବ ରମେଶ ଅଭି‌ଶେକଙ୍କ ଠାରୁ ଗ୍ରହଣ କରିଛନ୍ତି। ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ପାଇଁ ଓଡ଼ିଶା ସୃଷ୍ଟି କରିଥିବା ପରିବେଶକୁ ଶ୍ରୀ ଅଭିଶେକ ପ୍ରଶଂସା କରିଛନ୍ତି। ପୂର୍ବରୁ ଓଡ଼ିଶାକୁ ଷ୍ଟାର୍ଟଅପ୍‌ ପାଇଁ ଚାମ୍ପିଆନ୍ ରାଜ୍ୟ ଘୋଷଣା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଏକ ସ୍ବତନ୍ତ୍ର ଷ୍ଟାର୍ଟଅପ୍ ନୀତି ରହିଛି। ୨୦୨୦ ସୁଦ୍ଧା ହଜାରେ ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୮ ମାସ ଭିତରେ ୩୩୪ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟରେ ପ୍ରତି ମାସରେ ୨୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି ହେଉଛନ୍ତି। ରାଜ୍ୟରେ ୯ଟି ଇନ୍‌କୁବେଟର, ୧୨ଟି ନୋଡାଲ୍‌ ଇନଷ୍ଟିଚ୍ୟୁଟ୍‌, ୧୧୦ଟି ମେଣ୍ଟର୍‌ ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ପ୍ରଦାନ କରୁଛନ୍ତି। ଦେଶର ଶ୍ରେଷ୍ଠ ତିନି ଷ୍ଟାର୍ଟଅପ୍‌ ହବ୍‌ ମଧ୍ୟରେ ରହିବାକୁ ଓଡ଼ିଶା ଏହାର ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର