ନୂଆ ଷ୍ଟାର୍ଟଅପ୍ ନୀତି ଶୀଘ୍ର ପ୍ରଣୟନ ହେବ, ଏମ୍ଏସ୍‌ଏମ୍ଇ ବାଣିଜ୍ୟ ମେଳାରେ ଷ୍ଟାର୍ଟଅପ୍ ଟକ୍

ଭୁବନେଶ୍ବର: ରାଜ୍ୟରେ ନୂଆ ଷ୍ଟାର୍ଟଅପ୍ ନୀତି ଶୀଘ୍ର ପ୍ରଣୟନ କରାଯିବ। ନୂଆ ଉଦ୍ୟୋଗୀମାନଙ୍କ ସହଯୋଗରେ ଏହା ସମ୍ପୂର୍ଣ୍ଣ ସଫଳ ହେବ ବୋଲି ଏମ୍ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଏମ୍ଏସ୍‌ଏମ୍ଇ ବାଣିଜ୍ୟ ମେଳାର ତୃତୀୟ ଦିନରେ ଆୟୋଜିତ ଷ୍ଟାର୍ଟଅପ୍ ସମ୍ପର୍କିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୫୦ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାର ସେଗୁଡ଼ିକୁ ସହାୟତା ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଇନ୍‌ଫୋସିସ୍‌ ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଷ୍ଟାର୍ଟଅପ୍ କେନ୍ଦ୍ର ନିର୍ମାଣ କରାଯାଉଛି। ତାହା ରାଜ୍ୟର ଏମ୍ଏସ୍‌ଏମ୍‌ଇ କ୍ଷେତ୍ରକୁ ଆହୁରି ମଜଭୂତ କରିବ ବୋଲି ସେ କହିଛନ୍ତି। ନିଜ ଅଞ୍ଚଳରେ ଅଧିକରୁ ଅଧିକ ନୂଆ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଲାଗି ଶ୍ରୀ ସାହୁ ସମସ୍ତ ଜିଲ୍ଲା ଓ କ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ କହିଛନ୍ତି। ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଆଲୋଚନାଚକ୍ରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗ ଦେଇ ଉଦ୍ୟୋଗୀମାନଙ୍କ କାର୍ଯ୍ୟଧାରାର ମାନବୃଦ୍ଧି ପାଇ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ତାହା ହେଉଛି ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଓ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା। ସୁନ୍ଦର ରାଜନଙ୍କ ସୁଗୁଣା କୁକୁଡ଼ା ଫାର୍ମ କିଭଳି ୬୦୦ କୋଟି ଟଙ୍କାର ଉଦ୍ୟୋଗରେ ପରିଣତ ହୋଇପାରିଛି ତାହାର ଉଦାହରଣ ମଧ୍ୟ ସେ ଦେଇଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅରେଞ୍ଜ୍‌ କ୍ରସ୍‌ ହୋମ୍ ହେଲ୍‌ଥର ମୁଖ୍ୟ ନିର୍ବାହୀ ଅଜୟ ବେହେରା ନିଜ ଅଭିଜ୍ଞତା ବଣ୍ଣର୍ନା କରିଥିଲେ। ସେହିପରି ମ୍ୟାଜିକ୍‌ ୱାର୍ଲଡ୍‌ର ସିଇଓ ସିଦ୍ଧେଶ୍ବର ପଣ୍ଡା, ନେଚର ଏସେନ୍ସିଆଲ୍ ଅଏଲ୍‌ର ଡକ୍ଟର ଗୀତାଞ୍ଜଳି, କେସିଙ୍ଗାର ସାତ୍ତ୍ବିକ ଅଗ୍ରୱାଲ୍, ଶିବା ଗ୍ରିନ୍‌ର ନୀଳିମା ମିଶ୍ର, ରୋବୋଟିକ୍ କ୍ଲାସେସ୍‌ର ସାତ୍ତ୍ବିକ, ଅମର ଲ୍ୟାବ୍‌ର ସଲୋନି ପାତ୍ର, ପୋଷ୍ଟ ହାର୍ଭେଷ୍ଟ୍‌ ଟେକ୍ନୋଲୋଜିସ୍‌ ଭିଲା ମାର୍ଟର ପ୍ରତିଷ୍ଠାତା ଡକ୍ଟର ଉମେଶ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ନିଜ ଉଦ୍ୟୋଗୀ ହେବାର ଯାତ୍ରା ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଡିଜିଏମ୍‌ ଶ୍ରୀଯୁକ୍ତ ଲଲାଟେନ୍ଦୁ ସୂଚନା ଦେଇଥିଲେ ଯେ ୨୦୨୦ ଜୁଲାଇ ୧ ସୁଦ୍ଧା ନୂଆ ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କଗୁଡ଼ିକ ୭୦୦ କୋଟି ଟଙ୍କାର ଋଣ ଦେଇଥିଲେ। ଏହିକ୍ରମରେ ଆଉ ୩୦ ହଜାର କୋଟି ଟଙ୍କାର ଋଣ ଦିଆଯିବ ବୋଲି ସେ କହିଥିଲେ। ଏହି ଅବସରରେ କିଟ୍‌ ଟିବିଆଇର ଡକ୍ଟର ମୃତ୍ୟୁଞ୍ଜୟ ସୁଆର, ଡାଲ୍‌ମାର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର