ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ଆରମ୍ଭ

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଆରମ୍ଭ କରିଛନ୍ତି। ଏହି ଯାତ୍ରା ଏକ ମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହାର ଗ୍ରାଣ୍ଡ୍‌ ଫିନାଲେ ଭୁବନେଶ୍ୱରଠାରେ ଆୟୋଜନ କରାଯିବ।
ଯୁବପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଉତ୍ସାହିତ କରିବା ନିମନ୍ତେ ପ୍ରସ୍ତୁତ ଯାତ୍ରା ଭ୍ୟାନ୍‌ ପ୍ରସ୍ତୁତ କରାଯାଇଛି। ଏହି ଭ୍ୟାନ୍‌ ରାଜ୍ୟର ୧୬ଟି ଜିଲ୍ଲାର ୬୦ଟି ଶିକ୍ଷାନୁଷ୍ଠାନ ଭ୍ରମଣ କରିବ। ଏହି ଭ୍ୟାନ୍‌ ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଭ୍ରମଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁ ସବୁ ଷ୍ଟାର୍ଟଅପ୍‌ ପରିକଳ୍ପନାଗୁଡ଼ିକୁ ଚୟନ କରାଯିବ ସେମାନଙ୍କୁ ୩ ଦିନିଆ ବ୍ୟାପକ ତାଲିମ ପ୍ରଦାନ କରାଯିବ। ଶ୍ରେଷ୍ଠ ୫୦ଟି ଷ୍ଟାର୍ଟଅପ୍‌ ପରିକଳ୍ପନାକୁ ଇନ୍‌କୁବେସନ୍‌ ଏବଂ ମେଣ୍ଟରସିପ୍‌ ସହାୟତା ଯୋଗାଇ ଦିଆଯିବ, ଯଦ୍ୱାରା ସେମାନଙ୍କ ପରିକଳ୍ପନା ଏକ ବାସ୍ତବ ଷ୍ଟାର୍ଟଅପ୍‌ରେ ପରିଣତ ହୋଇପାରିବ। ଏହି ଯାତ୍ରା ଅବସରରେ ଫକିର ମୋହନ ବିଶ୍ୱବିଦ୍ୟାଳୟ, ଭିସୁଟ୍‌, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, କିଟ୍‌, ଏନ୍‌ଆଇଟି ରାଉରକେଲା, ଜୟପୁରର ବିକ୍ରମ ଦେବ କଲେଜ, କଳାହାଣ୍ଡିର ସରକାରୀ ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ନିଷ୍ଟ୍‍ ଏବଂ କଟକର ବିପିଏଫ୍‌ଟିଆଇଓରେ ୧୦ଟି ବୁଟ୍‌ କ୍ୟାମ୍ପ୍‌ ଆୟୋଜନ କରାଯିବ। ବୁଟ୍‌ କ୍ୟାମ୍ପ୍‌ର ବିଜେତାମାନଙ୍କୁ ନଗଦ ପୁରସ୍କାର, ଆଇନଗତ ସହାୟତା, ପରାମର୍ଶ ସେବା ଏବଂ ମେଣ୍ଟରସିପ୍‌ ସହାୟତା ପ୍ରଦାନ କରାଯିବ। ଏହି ଯାତ୍ରା ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଷ୍ଟାର୍ଟଅପ୍‌ କ୍ଲବ୍‌ ଗଠନ କରିବା ଯୋଜନା ରହିଛି। ଯାତ୍ରା ସମୟରେ ୫୦୦ ଷ୍ଟାର୍ଟଅପ୍‌ ପରିକଳ୍ପନା ହାସଲ କରିବା ଲକ୍ଷ୍ୟ ରହିଛି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌ ଏନ୍‌ ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର