ଆଇଟି ଓ ଇଲେକଟ୍ରୋନିକ୍ସ ବଜାର, ରାଜ୍ୟରେ ଦିନକୁ ୧୦ କୋଟିର ବେପାର ଠପ୍‌

ଭୁବନେଶ୍ବର: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ଦୋକାନ ବଜାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁଁ ରାଜ୍ୟର ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚୀନ୍‌ର ଉହାନ ସହରରୁ ଏହି ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଥିବାରୁ ଗତ କିଛିଦିନ ହେଲା ରାଜ୍ୟର ଆଇଟି ଓ ଇଲେକଟ୍ରୋନିକ୍ସ ବଜାର ଉପରେ ଏହାର ପ୍ରଭାବ ପଡ଼ିସାରିଛି। ଚୀନ, ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ପୂର୍ବରୁ କରୋନାରେ ପ୍ରଭାବିତ ହୋଇ ସାରିଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଆଇଟି ଏବଂ ଇଲେକ‌ଟ୍ରୋନିକ୍ସ ସାମଗ୍ରୀର ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ଠିକ୍ ସମୟରେ ଆବଶ୍ୟକତା ଅନୁସାରେ ସାମଗ୍ରୀ ପହଞ୍ଚି ପାରୁନାହିଁ। ତେବେ ଭାରତରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି। ତାପମାତ୍ରା ବୃଦ୍ଧି କାରଣରୁ କୁଲିଂ ଉତ୍ପାଦ ଯଥା ଏସି, କୁଲର ଏବଂ ରେଫ୍ରିଜରେଟର ଭଳି ସାମଗ୍ରୀ ଅଧିକ ମାତ୍ରାରେ ବିକ୍ରି ହେବ ବୋଲି ଇ‌ଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବିକ୍ରେତାମାନେ ଆଶା ରଖିଥିଲେ। କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ଦୋକାନ ବଜାର ବନ୍ଦ କରି ଦିଆଯାଇଥିବାରୁ ବିକ୍ରି ବନ୍ଦ ହୋଇଯାଇଛି। ଫଳରେ ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିବା ସୋ’ରୁମ୍ ଗୁଡ଼ିକ ବନ୍ଦ ରହିଛି। ଏତଦବ୍ୟତୀତ ଏବେ ମାର୍ଚ୍ଚ ମାସ ଚାଲିଥିବାରୁ ଆଇଟି ସାମଗ୍ରୀ ବିକ୍ରେତାମାନେ ଅଧିକ ମାତ୍ରାରେ ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ସୋରୁମ୍ ବନ୍ଦ ରହିବା କାରଣରୁ ବିକ୍ରି ବାଧାପ୍ରାପ୍ତ ‌ହୋଇଛି। ଏଥିସହିତ ସରକାରୀ ଟେଣ୍ଡର ଏବଂ କ୍ରୟ ଆଦି ବନ୍ଦ ହୋଇଯାଇଥିବାରୁ ଲାପଟପ୍‌, ଡେସ୍କଟପ୍ ସମେତ ଅନ୍ୟ ଆଇଟି ସାମଗ୍ରୀ ବିକ୍ରି ହୋଇପାରୁନାହିଁ। ଫଳରେ ଆଇଟି ଏବଂ ଇଲେକଟ୍ରୋନିକ୍ସ ସୋରୁମ୍‌ ଗୁଡ଼ିକର ଦୈନିକ ୫ କୋଟି ଟଙ୍କାର ବିକ୍ରି ଠପ୍ ହୋଇଯାଇଛି। ସରକାର, ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକ୍ରିକୁ ହିସାବକୁ ନେଲେ ରାଜ୍ୟରେ ଦୈନିକ ପ୍ରାୟ ୧୦ କୋଟି ଟଙ୍କାର ଆଇଟି ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀର ବିକ୍ରି ଠପ୍ ହୋଇଯାଇଛି ବୋଲି ରାଜ୍ୟର ପ୍ରମୁଖ ବ୍ୟବସାୟୀମାନେ ମତ ଦେଇଛନ୍ତି।

ସ୍ପେକ୍ଟ୍ରା ଭିଜନ୍‌ର ସ୍ବତ୍ବାଧିକାରୀ ଦେବରାଜ ରଥ କୁହନ୍ତି, ଗ୍ରାହକମାନେ ଗ୍ରୀଷ୍ମଋତୁ ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ମନ ବଳାଇବା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ କରୋନା ଭାଇରସ ସଂକ୍ରମଣ ଆଶଙ୍କା ଯୋଗୁ ସୋରୁମ୍ ଗୁଡ଼ିକ ବନ୍ଦ ରହିଛି। ଏଥିଯୋଗୁ ଏସି, କୁଲର ଆଦିର ବିକ୍ରି ସମ୍ପୂର୍ଣ୍ଣ ଭାବେ ମାଡ଼ ଖାଇଛି। ପୂର୍ବରୁ ଯୋଗାଣ ଜନିତ ସମସ୍ୟା ଥିବାବେଳେ ଏବେ ସୋରୁମ୍ ବନ୍ଦ ରହିବା କାରଣରୁ ବ୍ୟବସାୟୀମାନଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ରାଜ୍ୟରେ ଦିନକୁ ପ୍ରାୟ ୫ କୋଟି ଟଙ୍କାର ଇଲେକଟ୍ରୋନିକ୍ସ ଓ ଆଇଟି ଉତ୍ପାଦ ବିକ୍ରି ଠପ୍ ବନ୍ଦ ହୋଇଯାଇଛି ବୋଲି ସେ ମତ ଦେଇଛନ୍ତି।‌ ଯେତେଦିନ ଦୋକାନ ବଜାର ବନ୍ଦ ରହିବ ବିକ୍ରି ସେହି ଅନୁସାରେ ବାଧାପ୍ରାପ୍ତ ‌ ‌ହେବ ବୋଲି ସେ କହିଛନ୍ତି। ତେବେ ଆଶୀର୍ବାଦ କମ୍ୟୁଟର୍ସର ସ୍ବତ୍ବାଧିକାରୀ ରୁଦ୍ରକାନ୍ତ ମହାପାତ୍ର କୁହନ୍ତି, ସରକାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦିର କ୍ରୟକୁ ମିଶାଇଲେ ଦିନକୁ ରାଜ୍ୟରେ ବ୍ୟବସାୟୀମାନଙ୍କର ପ୍ରାୟ ୧୦ କୋଟି ଟଙ୍କା ପାଖାପାଖି ଆଇଟି ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରି ବନ୍ଦ ହୋଇଯାଇଛି। ଗ୍ରାହକଙ୍କ ଠାରୁ ଅର୍ଡର ପାଇଁ ମଧ୍ୟ ମାଲ୍ ନଥିବାରୁ ଯୋଗାଇବା କଷ୍ଟକର ହୋଇପଡ଼ୁଛି। ନିର୍ମାତା ଏବଂ ଗ୍ରାହକଙ୍କ ମଧ୍ୟରେ ବ୍ୟବସାୟୀମାନେ ପେଷି ହୋଇଯାଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର