ଭୁବନେଶ୍ୱର: ରାଜ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ୮୦% କାରବାର ଏବେ ଶାଖା ବାହାରେ ହେଉଛି। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ୍ ବ୍ୟାଙ୍କିଙ୍ଗ, ପଏଣ୍ଟ୍ ଅଫ୍ ସେଲ୍ ଏବଂ ଏଟିଏମ୍ ଭଳି ବିକଳ୍ପ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜରିଆରେ ଅଧିକ କାରବାର ହେଉଛି ବୋଲି ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ର ସିଜିଏମ୍ ବିଭିଜି ରେଡ୍ଡି କହିଛନ୍ତି। ଡିଜିଟାଲ୍ କାରବାର ପରିମାଣ ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ପକ୍ଷରୁ ପ୍ରଯୁକ୍ତିକୁ ବ୍ୟବହାର କରି ଅଧିକରୁ ଅଧିକ ଡିଜିଟାଲ୍ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ରେ ମୋଟ ୮୮୩ଟି ଶାଖା ରହିଛି। ସେଥି ମଧ୍ୟରୁ ୫୨୨ଟି ଶାଖା ଗ୍ରାମାଞ୍ଚଳରେ ଥିବା ବେଳେ ୧୭୮ଟି ଶାଖା ସହରାଞ୍ଚଳରେ ରହିଛି। ବ୍ୟାଙ୍କର ୨୬୮୪ଟି ଏଟିଏମ୍ ଏବଂ ୨୨୬୨୪ଟି ପଏଣ୍ଟ୍ ଅଫ୍ ସେଲ୍ ରହିଛି। ସେ କହିଛନ୍ତି ଯେ ସହଯୋଗୀ ବ୍ୟାଙ୍କର ମିଶ୍ରଣ ପରେ ରାଜ୍ୟରେ ଏବେ ବ୍ୟାଙ୍କ ପକ୍ଷରୁ ଶାଖାଗୁଡ଼ିକୁ ଦୃଢ଼ କରାଯାଉଛି। ଯେଉଁ ଅଞ୍ଚଳରେ ଏସ୍ବିଆଇ ଓ ଅନ୍ୟ ସହଯୋଗୀ ବ୍ୟାଙ୍କର ଏକାଧିକ ଶାଖା ଥିଲା ସେଠାରେ ବିଭିନ୍ନ ଶାଖା ବନ୍ଦ କରି ଯେତିକି ଶାଖା ଦରକାର ସେତିକି ରଖାଯାଉଛି। ଏହି ପ୍ରକ୍ରିୟାରେ ରାଜ୍ୟରେ ୧୫ଟି ଶାଖା ବନ୍ଦ କରାଯାଇସାରିଲାଣି। ମିଶ୍ରଣ ପୂର୍ବରୁ ରାଜ୍ୟରେ ସହଯୋଗୀ ବ୍ୟାଙ୍କଗୁଡ଼ିକର ୩୨ଟି ଶାଖା ରହିିଥିଲା। ସେଥି ମଧ୍ୟରୁ କେବଳ ୧୭ଟି ଶାଖା ରଖାଯାଇଛି। ଅନ୍ୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ନୂଆ ଶାଖା ବିଷୟରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଯେଉଁଠାରେ ଦରକାର ପଡ଼ିବ ସେଠାରେ ନୂଆ ଶାଖା ଖୋଲାଯିବ। ଆସନ୍ତା ଆର୍ଥିକ ବର୍ଷରେ କେତେ ନୂଆ ଶାଖା ଖୋଲାଯିବ ତାହା ମାର୍ଚ ମାସ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
୨୦୧୭ ଡିସେମ୍ବର ସୁଦ୍ଧା ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ର ଜମା ପରିମାଣ ୮୬୭୬୪ କୋଟି ଟଙ୍କା ରହିଛି ଯାହା ଗତବର୍ଷ ଡିସେମ୍ବର ତୁଳନାରେ ୬.୬୬% ଅଧିକ। ସେହି ସମୟରେ ଅଗ୍ରୀମ ପରିମାଣ ୨୧୯୨୫ କୋଟି ଟଙ୍କା ରହିଛି ଯାହା ୨୦୧୬ ତୁଳନାରେ ୧୧.୭୧% ଅଧିକ। ମୋଟ ଜମାରେ କାସା ଜମାର ଅବଦାନ ହେଉଛି ୪୩୩୬୨ କୋଟି ଟଙ୍କା।
ରାଜ୍ୟରେ ୭୦% ଆକାଉଣ୍ଟ୍ ସହିତ ଆଧାର ଲିଙ୍କ୍ ହୋଇସାରିଲାଣି ବୋଲି ସେ ସୂଚନା ଦେଇଛନ୍ତି।