ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅବଧିର ଋଣ ଉପରେ ଏହା ଲାଗୁ ହୋଇଛି। ନୂତନ ସୁଧ ହାର ଜୁଲାଇ ୧୫ରୁ ଲାଗୁ କରାଯାଇଛି। ଏହା ଦ୍ବାରା ଗାଡ଼ି ଓ ଘର କିଣିବା ଲାଗି ଋଣ ନେଉଥିବା ଗ୍ରାହକମାନେ ପ୍ରଭାବିତ ହେବେ। ଜୁନ୍ ମାସରେ ମଧ୍ୟ ବ୍ୟାଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଅବଧିର ଋଣରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ମାସିକିଆ ଅବଧି ଋଣର ଏମ୍‌ସିଏଲ୍‌ଆର୍‌କୁ ୮.୩୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ତିନି ମାସିଆ ଅବଧିର ସୁଧ ୮.୪ ପ୍ରତିଶତ କରାଯାଇଛି।

Advertisment

ଛଅ ମାସିଆ ଋଣର ସୁଧ ହାର ୮.୭୫ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ବର୍ଷିକିଆର ୮.୮୫ ପ୍ରତିଶତ, ଦୁଇବର୍ଷିଆର ୮.୯୫ ପ୍ରତିଶତ ଓ ତିନି ବର୍ଷିଆ ଋଣର ସୁଧ ହାର ୯ ପ୍ରତିଶତ ହୋଇଛି। ଏମ୍‌ସିଏଲ୍‌ଆର୍‌ ହେଉଛି ସେହି ହାର ଯାହାଠାରୁ କମ୍ ସୁଧରେ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିପାରିବେ ନାହିଁ। ଷ୍ଟେଟ୍‌ ବ୍ୟାଙ୍କର ବାହ୍ୟ ବେଞ୍ଚମାର୍କ ଲେଣ୍ଡିଂ ହାର (ଇବିଏଲ୍‌ଆର୍‌) ୯.୧୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ସମସ୍ତ ଗୃହ ଋଣ ଏହି ହାର ସହିତ ଜଡ଼ିତ। ବ୍ୟାଙ୍କ ଏହାର ଗୃହ ଋଣ ଉପରେ ୮.୫୦ ପ୍ରତିଶତରୁ ୯.୬୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଏହା ବ୍ୟତୀତ ପ୍ରୋସେସିଂ ଫି’, ଜିଏସ୍‌ଟି ଆଦି ସଂଗ୍ରହ କରାଯାଉଛି। ଷ୍ଟେଟ୍‌ ବ୍ୟାଙ୍କର ବେସ୍‌ ରେଟ୍‌ ଜୁନ୍ ୧୫ରୁ ୧୦.୪୦ ପ୍ରତିଶତ ହୋଇଛି।