ଜମାକାରୀଙ୍କୁ ୨ ଲକ୍ଷ ଟଙ୍କା ଯାଏ ସୁବିଧା ଦେଉଛି ଷ୍ଟେଟ୍ ବ୍ୟାଙ୍କ

ନୂଆଦିଲ୍ଲୀ: ଅନେକ ଜମାକାରୀମାନଙ୍କୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି। ଜନଧନ ଖାତା ଖୋଲିଥିବା ଏବଂ ରୁପେ ଡେବିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ବ୍ୟାଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଦେଉଛି। ଡେବିଟ୍ କାର୍ଡଧାରୀମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ ବୀମା, କ୍ରୟ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଉଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହୋଇଥିଲା। ‌ଲୋକଙ୍କୁ ବ୍ୟାଙ୍କିଂ ସେବା ପରିସରଭୁକ୍ତ କରିବା ପାଇଁ ଏହାକୁ ସରକାର ଆଣିଥିଲେ। ଜଣେ ବ୍ୟକ୍ତି ଅନଲାଇନରେ କେୱାଇସି ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରି ଏହି ଆକାଉଣ୍ଟ ଖୋଲିପାରିବେ। ଏଥିସହିତ ମୌଳିକ ସଂଚୟ ଖାତାକୁ ମଧ୍ୟ ଜନଧନ ଖାତାରେ ପରିବର୍ତ୍ତନ କରିବା ସୁବିଧା ରହିଛି। ୨୦୧୮ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଜନଧନ ଆକାଉଣ୍ଟ ଖୋଲିଛନ୍ତି ଏବଂ ରୁପେ କାର୍ଡ ନେଇଛନ୍ତି ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ୨୦୧୮ ଅଗଷ୍ଟ ୨୮ ପରେ ଜାରି ହୋଇଥିବା ରୁପେ କାର୍ଡଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଦିଆଯାଉଛି।

ତେବେ ଏଥିପାଇଁ କେତେକ ନିୟମ ମଧ୍ୟ ରହିଛି। ଦୁର୍ଘଟଣା ହେବାର ୯୦ ଦିନ ପୂର୍ବରୁ ସଂପୃକ୍ତ ଖାତାଧାରୀ ରୁପେ କାର୍ଡ ଜରିଆରେ ନିଜ ବ୍ୟାଙ୍କ କିମ୍ବା ଅନ୍ୟ ବ୍ୟାଙ୍କରେ ସଫଳ ଆର୍ଥିକ ଓ ଅଣ ଆର୍ଥିକ ବ୍ୟବହାର କରିଥିବା ଆବଶ୍ୟକ। ଏପରିକି ଭାରତ ବାହାରେ ଦୁର୍ଘଟଣା ହେଲେ ବି ବ୍ୟକ୍ତିଗତ ଦୁର୍ଘଟଣା ବୀମା କାର୍ଯ୍ୟ କରିବ। କିନ୍ତୁ ଭାରତୀୟ ମୁଦ୍ରାରେ ଏହି ଦାବି ରାଶିର ସମାଧାନ କରାଯିବ। ‌ସେହିଭଳି କାର୍ଡଧାରୀମାନଙ୍କ ନୋମିନି ଓ ଆଇନଗତ ଉତ୍ତରାଧିକାରୀମାନେ ପରେ ଏହି ଅର୍ଥ ପାଇପାରିବେ। ଆବଶ୍ୟକ କାଗଜପତ୍ର ଦାଖଲର ୧୦ଟି କାର୍ଯ୍ୟଦିବସ ମଧ୍ୟରେ ଏହି ମାମଲାର ସମାଧାନ ହେବ। ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ । ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଲିମିଟେଡ ଏଥିପାଇଁ ବୀମା ସହଯୋଗୀ ରହିଛି।

ସମ୍ବନ୍ଧିତ ଖବର