ଏସ୍‌ଏମ୍ଏସ୍‌ ଚାର୍ଜ ବି ପ୍ରତ୍ୟାହୃତ, ଜମା, ଋଣ ସୁଧ କମିଲା

ଷ୍ଟେଟ୍‌ ବ୍ୟାଙ୍କରେ ରଖିବାକୁ ପଡ଼ିବନି ସର୍ବନିମ୍ନ ବାଲାନ୍ସ

ମୁମ୍ବାଇ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ପ୍ରତ୍ୟାହାର କରିନିଆଯାଇଛି। ଗ୍ରାହକଙ୍କୁ ଆଉ ଖାତାରେ ଏକ ନିର୍ଦିଷ୍ଟ ପରିମାଣର ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ବାରା ୪୪.୫୧ ସଞ୍ଚୟ ବ୍ୟାଙ୍କ ଖାତା ଗ୍ରାହକ ଲାଭବାନ ହେବେ। ହାରାହାରି ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ଉଚ୍ଛେଦ କରି ଷ୍ଟେଟ୍‌ ବ୍ୟାଙ୍କ କହିଛି ଯେ ଏହା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆହୁରି ସୁଦୃଢ଼ କରିବ। ସହରାଞ୍ଚଳ, ଅର୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଗ୍ରାହକମାନଙ୍କ ପାଇଁ ଯଥାକ୍ରମେ ୩୦୦୦ ଟଙ୍କା, ୨୦୦୦ ଟଙ୍କା ଓ ୧୦୦୦ ଟଙ୍କାର ସର୍ବନିମ୍ନ ବାଲାନ୍ସ ସୀମା ଧାର୍ଯ୍ୟ କରାଯାଇଥିଲା। ‌ଯେଉଁ ଗ୍ରାହକମାନଙ୍କ ଖାତା ବାଲାନ୍ସ ଏହି ଧାର୍ଯ୍ୟ ସୀମା ଠାରୁ କମ୍ ରହୁଥିଲା ସେମାନଙ୍କ ଠାରୁ ୫ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଓ ତା’ ସହିତ ଟିକସ ଆଦାୟ କରାଯାଉଥିଲା। ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଏସ୍ଏମ୍ଏସ୍‌ ସେବା ଉପରେ ପ୍ରତି ତିନି ମାସରେ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଥିବା ଚାର୍ଜକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି। ଏଥି ସହିତ ସବୁ ପ୍ରକାର ସଞ୍ଚୟ ବ୍ୟାଙ୍କ ଖାତାରେ ବାର୍ଷିକ ୩ ପ୍ରତିଶତର ଫ୍ଲାଟ୍‌ ସୁଧ ପ୍ରଦାନ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ପୂର୍ବରୁ ଏକ ଲକ୍ଷ ଟଙ୍କାରୁ କମ୍ ଜମାରାଶି ଥିବା ସଞ୍ଚୟ ଖାତା ଉପରେ ବାର୍ଷିକ ୩.୨୫ ପ୍ରତିଶତ ଓ ଏକ ଲକ୍ଷ ଟଙ୍କାରୁ ଅଧିକ ଜମାରାଶି ଥିବା ଖାତା ଉପରେ ୩ ପ୍ରତିଶତ ସୁଧ ପ୍ରଦାନ କରାଯାଉଥିଲା। ସମସ୍ତ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକ ଏବେ ଜିରୋ ବାଲାନ୍ସ ସୁବିଧାର ଲାଭ ଉଠାଇପାରିବେ।

ବ୍ୟାଙ୍କ ପକ୍ଷରୁ ଆଜି ଉଭୟ ଜମା ଓ ଋଣ ସୁଧରେ ମଧ୍ୟ ହ୍ରାସ ଘୋଷଣା କରାଯାଇଛି। ବିଭିନ୍ନ ଅବଧିର ଋଣ ଉପରେ ଏମ୍‌ସିଏଲ୍‌ଆର୍‌ ହାରରେ ୦.୧୦-୦.୧୫% ହ୍ରାସ କରାଯାଇଛି। ଫଳରେ ୩୦ ବର୍ଷିଆ ଗୃହ ଋଣରେ ପ୍ରତି ଏକ ଲକ୍ଷ ଟଙ୍କା ପାଇଁ ଗ୍ରାହକଙ୍କ ମାସିକ କିସ୍ତିରେ ୭ ଟଙ୍କା ହ୍ରାସ ଘଟିବ। ସାତ ବର୍ଷିଆ କାର୍‌ ଋଣର ଇଏମ୍‌ଆଇ ପ୍ରତି ଏକ ଲକ୍ଷ ଟଙ୍କା ପାଇଁ ୫ ଟଙ୍କା ହ୍ରାସ ପାଇଛି। ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ ୭.୮୫%ରୁ ହ୍ରାସ ପାଇ ୭.୭୫% ହୋଇଛି। ମିଆଦୀ ଜମା ଉପରେ ସୁଧ ହାର ମଧ୍ୟ ହ୍ରାସ କରାଯାଇଛି। ବର୍ଷିକିଆ ଖୁଚୁରା ମିଆଦୀ ଜମା ଉପରେ ସୁଧ ହାର ୦.୧୦% ହ୍ରାସ କରାଯାଇଛି। ମୋଟା ଅଙ୍କର ମିଆଦୀ ଜମାର ସୁଧ ହାରରେ ୦.୧୫% ହ୍ରାସ କରାଯାଇଛି।

ସମ୍ବନ୍ଧିତ ଖବର