ୟେସ୍ ବ୍ୟାଙ୍କ ସଙ୍କଟ: ଉଦ୍ଧାର କରିବ ଷ୍ଟେଟ୍‌ ବ୍ୟାଙ୍କ

୪୯% ଅଂଶଧନ କିଣିବ, ୨୪୫୦ କୋଟି ଖଟାଇବ, ଅଧ୍ୟକ୍ଷ କଲେ ଘୋଷଣା, ବୋର୍ଡ ଦେଲା ଅନୁମତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଫସିଥିବା ୟେସ୍‌ ବ୍ୟାଙ୍କକୁ ଉଦ୍ଧାର କରିବା ପାଇଁ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗେଇ ଆସିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ‌ୟେସ୍‌ ବ୍ୟାଙ୍କ ଉପରେ କଟକଣା ଜାରି କରାଯିବାର ଦୁଇ ଦିନ ପରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ୟେସ୍‌ ବ୍ୟାଙ୍କରେ ଷ୍ଟେଟ ବ୍ୟାଙ୍କ ୪୯ ପ୍ରତିଶତ ଅଂଶଧନ କିଣିପାରେ।

ମୁମ୍ବାଇଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ୟେସ୍ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କର ବୋର୍ଡ ମୋଟାମୋଟି ଭାବେ ମଞ୍ଜୁରି ପ୍ରଦାନ କରିଛି। ତେଣୁ ଏହି ଅଂଶଧନ କିଣିବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଅତିକମ୍‌ରେ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ପଡ଼ିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯେଉଁ ପୁନରୁଦ୍ଧାର ପ୍ରସ୍ତାବ ଘୋଷଣା କରାଯାଇଛି ତାହା ଉପରେ ଷ୍ଟେଟ ବ୍ୟାଙ୍କ ନିକଟରେ ପହଞ୍ଚିଛି। ବ୍ୟାଙ୍କର ଲିଗାଲ୍‌ ଟିମ୍‌ ଏହାର ପରୀକ୍ଷାନିରୀକ୍ଷା କରୁଛନ୍ତି। ୟେସ୍‌ ବ୍ୟାଙ୍କରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ଅଂଶଗ୍ରହଣ କ୍ରୟ ସମ୍ଭାବନାକୁ ବିଚାର କରିବା ପାଇଁ ଷ୍ଟେଟ ବ୍ୟାଙ୍କର ବୋର୍ଡ ମୋଟାମୋଟିଭାବେ ମଞ୍ଜୁରି ପ୍ରଦାନ କରିଛି ବୋଲି ରଜନୀଶ କୁମାର କହିଛନ୍ତି। ଏଥିସହିତ ସାମର୍ଥ୍ୟ ଥିବା ଅନେକ ନିବେଶକଙ୍କୁ ସାଥିରେ ନେବା ପାଇଁ ମଧ୍ୟ ଷ୍ଟେଟ ବ୍ୟାଙ୍କ ଯୋଜନା ଚଳାଇଛି। ତେବେ ୟେସ୍‌ ବ୍ୟାଙ୍କରେ ଷ୍ଟେଟ ବ୍ୟାଙ୍କ କେତେ ପ୍ରତିଶତ ସେୟାର କିଣିବ ଏବଂ କେତେ ଟଙ୍କା ନିବେଶ କରିବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବୋର୍ଡ ନେବ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ତାରିଖ ପୂର୍ବରୁ ଯେଭଳି ପୁନରୁଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ ତାହାକୁ ଆମେ ନିଶ୍ଚିତ କରିବୁ। ଏହାମାତ୍ର ଅଳ୍ପ କେତେଦିନର କଥା। ତେଣୁ ଜମାକାରୀ ସେମାନଙ୍କ ଜମାଟଙ୍କାକୁ ନେଇ ଚିନ୍ତିତ ହେବା ଉଚିତ ନୁହେଁ ବୋଲି ରଜନୀଶ କୁମାର କହିଛନ୍ତି। କୌଣସି ବ୍ୟାଙ୍କ ବିଫଳ ହେଲେ ତାହାର ବଡ଼ ପରିଣାମ ଅନ୍ୟମାନଙ୍କୁ ଭୋଗିବାକୁ ପଡ଼ିଥାଏ। ତେଣୁ ୟେସ୍‌ ବ୍ୟାଙ୍କ ପଛରେ ଷ୍ଟେଟ ବ୍ୟାଙ୍କ ଛିଡ଼ା ହୋଇଛି। ମାଲିକ ଯିଏ ହେଉଥାଉ ନା କାହିଁକି ଏକ ବଡ଼ ବ୍ୟାଙ୍କ ଭାବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମକୁ ଆମର ଭୂମିକା ନିଭାଇବାକୁ ହେବ। ଜଣେ ବ୍ୟକ୍ତିର ଭୁଲ ପାଇଁ ଗୋଟିଏ ସଂସ୍ଥା କାହିଁକି ଭୋଗିବ ବୋଲି ରଜନୀଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର