ଷ୍ଟେଟ୍‌ ବ୍ୟାଙ୍କ ଆଣିବ ଭିଆର୍‌ଏସ୍‌ ସ୍କିମ୍: ୩୦ ହଜାର କର୍ମଚାରୀ ଆବେଦନ କରିବାକୁ ଯୋଗ୍ୟ

ନୂଆଦିଲ୍ଲୀ : ଖର୍ଚ୍ଚ ପରିଚାଳନାରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟ ନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏକ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କର ୩୦,୧୯୦ ଜଣ କର୍ମଚାରୀ ଏହି ସ୍କିମ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଷ୍ଟେଟ୍‌ ବ୍ୟାଙ୍କରେ ୨,୪୯,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବର୍ଷକ ତଳେ ସେମାନଙ୍କ ସଂଖ୍ୟା ୨,୫୭,୦୦୦ ଥିଲା। ଭିଆର୍‌ଏସ୍‌ ସ୍କିମ୍‌ର ଚିଠା ପ୍ରସ୍ତୁତ ହୋଇଥିବା ବେଳେ ତାହା ବୋର୍ଡର ଅନୁମୋଦନ ଅପେକ୍ଷା ରହିଛି। ପ୍ରସ୍ତାବିତ ଭିଆର୍‌ଏସ୍‌ ସ୍କିମ୍ କିନ୍ତୁ କର୍ମଚାରୀ ସଂଘର ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ସାରା ଦେଶ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ଭଳି ଏକ ସଙ୍କଟମୟ ସମୟରେ ଏଭଳି ସ୍କିମ୍ ଆଣିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କର୍ମଚାରୀ ବିରୋଧୀ ମନୋଭାବର ପ୍ରତିଫଳନ ବୋଲି ବ୍ୟାଙ୍କ କର୍ମଚାରୀଙ୍କ ଜାତୀୟ ସଂଗଠନର ଉପସଭାପତି ଅଶ୍ବିନୀ ରାଣା କହିଛନ୍ତି।

ପ୍ରସ୍ତାବିତ ସ୍କିମ୍ ‘ସେକେଣ୍ଡ ଇନିସ୍‌ ଟ୍ୟାପ୍ ଭିଆର୍‌ଏସ୍‌-୨୦୨୦’ର ଲକ୍ଷ୍ୟ ହେଉଛି ବ୍ୟାଙ୍କର ଖର୍ଚ୍ଚ ଓ ମାନବ ସମ୍ବଳରେ ପାରଦର୍ଶିତା ଆଣିବା। ନିଜ ପେସାଦାର ଜୀବନରେ ଯେଉଁ କର୍ମଚାରୀମାନେ ପରିପକ୍ବତାର ଏକ ନିର୍ଦିଷ୍ଟ ସ୍ତରରେ ପହଞ୍ଚି ସାରିଛନ୍ତି, ପ୍ରଦର୍ଶନରେ ଯେଉଁମାନେ ଶିଖରରେ ପହଞ୍ଚିପାରିନାହାନ୍ତି, ଯେଉଁମାନଙ୍କର କିିଛି ବ୍ୟକ୍ତିଗତ ସମସ୍ୟା ରହିଛି କିମ୍ବା ଯେଉଁମାନେ ବ୍ୟାଙ୍କ ଚାକିରି ବାହାରେ ଏକ ପେସାସାର କିମ୍ବା ବ୍ୟକ୍ତିଗତ ଜୀବନ ଆରମ୍ଭ କରିବାକୁ ଚାହୁଛନ୍ତି ସେମାନେ ଏହି ଭିଆର୍‌ଏସ୍‌ ସ୍କିମ୍‌ର ଲାଭ ଉଠାଇପାରିବେ। ‌ଷ୍ଟେଟ୍‌ ବ୍ୟାଙ୍କରେ ୨୫ ବର୍ଷର ଚାକିରି କାଳ ପୂରଣ କରିଥିବା କିମ୍ବା ଯେଉଁମାନଙ୍କ ବୟସ ୫୫ ବର୍ଷରୁ ଅଧିକ ହୋଇଗଲାଣି ସେମାନଙ୍କ ପାଇଁ ଏହି ସ୍କିମ୍ ଆସିବ। ଏହି ବର୍ଗରେ ଆସୁଥିବା ବ୍ୟାଙ୍କର ସମସ୍ତ ସ୍ଥାୟୀ ଅଧିକାରୀ ଓ କର୍ମଚାରୀମାନେ ଏହି ସ୍କିମ୍‌ରେ ସାମିଲ ହୋଇପାରିବ। ଏହି ସ୍କିମ୍ ଡିସେମ୍ବର ୧ରେ ଖୋଲିବ ଏବଂ ଆସନ୍ତା ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ଉନ୍ମକ୍ତ ରହିବ। ଏହି ତିନି ମାସରେ ଇଚ୍ଛୁକ କର୍ମଚାରୀମାନେ ଭିଆର୍‌ଏସ୍‌ ପାଇଁ ଆବେଦନ କରିପାରିବେ। ସ୍କିମ୍‌ର ଚିଠାରୁ ଜଣାପଡ଼ିଛି ଯେ ଷ୍ଟେଟ୍‌ ବ୍ୟାଙ୍କର ୧୧,୫୬୫ ଅଧିକାରୀ ଏବଂ ୧୮,୬୨୫ କର୍ମଚାରୀ ଭିଆର୍‌ଏସ୍‌ ପାଇଁ ଆବେଦନ କରିବାକୁ ଯୋଗ୍ୟ।

ସମ୍ବନ୍ଧିତ ଖବର