ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ (ଏମ୍‌ଏସ୍‌ଏମ୍‌ଇ) ୯୦୦ କୋଟି ଟଙ୍କାର ଋଣ ଆବଣ୍ଟନ କରିବ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି କେନ୍ଦ୍ର ସରକାର ଯେଉଁ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ (ଜିଇସିଏଲ୍‌ ସ୍କିମ୍) ଘୋଷଣା କରିଛନ୍ତି ସେଥି ମଧ୍ୟରୁ ଓଡ଼ିଶାରେ ଷ୍ଟେଟ୍‌ ବ୍ୟାଙ୍କ ଏତିକି ପରିମାଣର ଋଣ ଦେବ। ଆଜିଠାରୁ ଋଣ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟର ୧୨୦୦ ସଂସ୍ଥାକୁ ପ୍ରାୟ ୩୦୦ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଏହି ସ୍କିମ୍‌ରେ ଋଣ ହାସଲ କରିବା ଲାଗି ରାଜ୍ୟର ୫୧ ହଜାର ଏମ୍ଏସ୍‌ଏମ୍‌ଇ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଷ୍ଟେଟ୍‌ ବ୍ୟାଙ୍କର ମହାପ୍ରବନ୍ଧକ ସିଏଚ୍‌ଏନ୍‌ଏଲ୍‌ ଚାରିୟୁଲୁ ଓ ବିଜୟ କୁମାର କୁଜୁର କହିଛନ୍ତି। ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ସର୍ବାଧିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଏହି ଋଣ ଉପରେ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ଯନ୍ତ୍ରାଂଶ ବାବଦରେ ୨୫ କୋଟି ଟଙ୍କାରୁ କମ୍ ବିନିଯୋଗ କରିଥିବା ଏବଂ ଉତ୍ପାଦନ କ୍ଷମତା ୧୦୦ କୋଟି ଟଙ୍କାରୁ କମ୍ ଥିବା ଏବଂ ନିୟମିତ ଖାତା ଚାଲୁ ରଖିଥିବା ସଂସ୍ଥାଗୁଡ଼ିକ ଏହି ସ୍କିମ୍‌ରେ ଋଣ ନେଇପାରିବେ। ସେମାନେଙ୍କୁ ବକେୟା ରାଶିର ୨୦ ପ୍ରତିଶତ ବିନା ଗ୍ୟାରେଣ୍ଟି ଓ ବନ୍ଧକରେ ଋଣ ଦିଆଯିବ।

Advertisment

ଆଜି ଷ୍ଟେଟ୍‌ ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ଫାଇନାନ୍ସିଆଲ୍‌ ଇନ୍‌କ୍ଲୁଜନ୍ ଆଣ୍ଡ୍‌ ମାଇକ୍ରୋ ମାର୍କେଟ୍‌ (ଏଫ୍‌ଆଇ ଆଣ୍ଡ୍‌ ଏମ୍ଏମ୍‌) ବ୍ୟବସ୍ଥା ଓ ଜିଇସିଏଲ୍‌ ସ୍କିମ୍‌ ଆରମ୍ଭ କରାଯାଇଛି। ରାଜ୍ୟର ୨୮ଟି ଜିଲ୍ଲାରେ ଏଫ୍‌ଆଇ ଆଣ୍ଡ୍‌ ଏମ୍ଏମ୍ କାର୍ଯ୍ୟକ୍ଷମ ହେବ। ଗ୍ରାମାଞ୍ଚଳରେ ଥିବା ଶାଖା ଓ ଗ୍ରାହକ କେନ୍ଦ୍ରଗୁଡ଼ିକ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହା ଜରିଆରେ ଆର୍ଥିକ ଅନ୍ତୁର୍ଭକ୍ତୀକରଣ, କୃଷି ଓ ଆନୁଷଙ୍ଗିକ କାରବାର ପ୍ରତି ଧ୍ୟାନ ଦିଆଯିବ। ଚାଷୀ ଏବଂ ସ୍ବଳ୍ପ ପରିମାଣର ଋଣ ଚାହୁଥିବା ଗ୍ରାହକଙ୍କ ଚାହିଦାକୁ ଏଫ୍‌ଆଇ ଆଣ୍ଡ୍‌ ଏମ୍‌ଏମ୍ ପୂରଣ କରିବ। ଜାତୀୟ ସ୍ତରରେ ବ୍ୟାଙ୍କର ଡିଏମ୍‌ଡି ସଞ୍ଜୀବ ନୌଟିୟାଲଙ୍କ ନେତୃତ୍ବରେ ତାହା ପରିଚାଳିତ ହେବ। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ପାଖରେ ୪୦୦୦ ଗ୍ରାହକ ସେବା କେନ୍ଦ୍ର ରହିଛି। ସେଠାରେ ଗ୍ରାହକମାନେ ପାସ୍‌ ବୁକ୍ ପ୍ରିଣ୍ଟ୍‌ କରିବା ଭଳି ସୁବିଧା ପାଇପାରିବେ। ଏଭଳି ଆଉ ୧୦୦୦ ‌ସେବା କେନ୍ଦ୍ର ଖୋଲିବାକୁ ମଧ୍ୟ ବ୍ୟାଙ୍କ ଯୋଜନା ରଖିଛି।