ଭୁବନେଶ୍ୱର: ତୃଣମୂଳସ୍ତରରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ଔଦ୍ୟୋଗିକ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପର ହେବାର ଆବଶ୍ୟକତା ରହିଛି। ବିଭିନ୍ନ ସମୟରେ ଋଣ ପ୍ରଦାନ ପ୍ରକ୍ରିୟାରେ ଜଟିଳତା ଓ ବିଳମ୍ବ ହେତୁ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷରେ ଏହା ରାଜ୍ୟର ପ୍ରଗତିରେ ଅନ୍ତରାୟ ହୋଇଥାଏ। ଏଣୁ ସ୍ୱଚ୍ଛ ଓ ସରଳ ପ୍ରକ୍ରିୟା ଅବଲମ୍ବନପୂର୍ବକ ଯୋଗ୍ୟ ଆବେଦନକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଋଣ ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଅନୁ ଗର୍ଗ କହିଛନ୍ତି।  

Advertisment

ଆଜି ଅନୁଷ୍ଠିତ ୧୭୫ ଓ ୧୭୬ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ଗର୍ଗ କହିଲେ ଯେ ବ୍ୟାଙ୍କିଂ ପଦ୍ଧତିକୁ ଅଧିକ ମାତ୍ରାରେ ଡିଜିଟାଇଜେସନ୍‌ ଓ ସୁରକ୍ଷିତ କରିବାର ଆବଶ୍ୟକତା ରହିଛି । ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ହୋଇଥିବାରୁ ଅର୍ଥନୀତିକୁ ସଶକ୍ତ କରିବାକୁ ହେଲେ ସେମାନଙ୍କ ସଂପୃକ୍ତି ବିଶେଷ ଗୁରୁତ୍ୱ ରଖେ । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଡିଜିଟାଲ୍‌-ସାକ୍ଷର କରିବାକୁ ପଡ଼ିବ। ପୂର୍ବବର୍ଷ ତୁଳନାରେ ବାର୍ଷିକ ଋଣ ଯୋଜନାରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଓଡ଼ିଶାରେ ବାର୍ଷିକ ମୁଣ୍ଡପିଛା ଋଣ ବୋଝ କମିଛି । 

ତୃଣମୂଳସ୍ତରରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ଔଦ୍ୟୋଗିକ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ତତ୍ପର ହେବାର ଆବଶ୍ୟକତା ରହିଛି।

୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେଉଥିବା ପରିପ୍ରେକ୍ଷୀରେ ଏହା ପୂର୍ବରୁ ଓଡ଼ିଶାକୁ ଏକ ଅଗ୍ରଣୀ ଆର୍ଥିକ ଶକ୍ତିରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଣୟନ କରୁଛନ୍ତି । ଏଗୁଡ଼ିକର ସଫଳ ରୂପାୟନ ସହ ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ବ୍ୟାଙ୍କମାନେ ଅର୍ଥପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଥିଲେ। 
    ବୈଠକରେ ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ର, ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜୟ କୁମାର ନିବୃତ୍ତି କାମ୍ବଲେ, ମହାପ୍ରବନ୍ଧକ ଗୌତମ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ପ୍ରତିନିଧି ଯୋଗଦେଇଥିଲେ।