ରପ୍ତାନି ଲାଗି ଷ୍ଟେଟ୍‌ ବ୍ୟାଙ୍କର ବଡ଼ ଯୋଜନା: ଚିଙ୍ଗୁଡ଼ି, ସିଫୁଡ୍‌ ରପ୍ତାନି ପାଇଁ ଋଣ ଦେବ

ସ୍ବତନ୍ତ୍ର ଷ୍ଟାର୍ଟଅପ୍ ଶାଖା ଖୋଲିବାକୁ ଚାହୁଛି, ଭୁବନେଶ୍ବର-କଟକ ରାଜପଥ ପାର୍ଶ୍ବରେ ଖୋଲିବ ଶାଖା

ଭୁବନେଶ୍ବର: ଓଡ଼ିଶାର ରପ୍ତାନି କ୍ଷେତ୍ରର ବିକାଶ ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବଡ଼ ଯୋଜନା ରଖିଛି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଏହି କ୍ଷେତ୍ରକୁ ୧୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏବେ ରପ୍ତାନି କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ପାଣ୍ଠି ପରିମାଣ ୩୦୦ କୋଟି ଟଙ୍କା ରହିଛି। ଏବର୍ଷ ସେଥିରେ ୩୦୦ ପ୍ରତିଶତ ବୃଦ୍ଧି ଆଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରପ୍ତାନିରେ ଚିଙ୍ଗୁଡ଼ି, ସିଫୁଡ୍‌ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍‌ ଚନ୍ଦର ଶେଖର ଶର୍ମା କହିଛନ୍ତି। ‘ସମ୍ବାଦ’ ସହ ସ୍ବତନ୍ତ୍ର ଆଲୋଚନା କରି ସେ କହିଛନ୍ତି ଯେ ଓଡ଼ିଶାରେ ଆମେ ରପ୍ତାନି ବ୍ୟତୀତ ଷ୍ଟାର୍ଟଅପ୍, ରିଅଲ ଇଷ୍ଟେଟ୍‌, ଏସ୍‌ଏମ୍ଇ, ଇଥାନଲ୍‌ ପ୍ରକଳ୍ପ ଓ ଧାର୍ମିକ ସ୍ଥଳ‌ରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ଉତ୍ସର୍ଗୀକୃତ ଶାଖା ସ୍ଥାପନ କରିବା ଲାଗି କ’ଣ ସମ୍ଭାବନା ରହିଛି ତାହା ଜାଣିବା ଲାଗି ବ୍ୟାଙ୍କ ରାଜ୍ୟର ବିଭିନ୍ନ ଶିଳ୍ପ ସଂଘ ସହ ମଧ୍ୟ ଆଲୋଚନା କରୁଛି। ରାଜ୍ୟରେ ସ୍ଥାପନ ହେଉଥିବା ଦୁଇଟି ଇଥାନଲ୍‌ ପ୍ରକଳ୍ପକୁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ଆଉ ତିନିଟି ୟୁନିଟ୍ ସହ ଆଲୋଚନା ଜାରି ରହିଛି। ସେହିପରି, ପୁରୀରେ ମଧ୍ୟ ତିନିଟି ହୋଟେଲ୍‌ ସ୍ଥାପନ ପାଇଁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଷ୍ଟେଟ୍‌ ବ୍ୟାଙ୍କ ୩-୪ଟି ବଡ଼ ବିଲ୍‌ଡର୍‌ ସଂସ୍ଥାକୁ ପାଣ୍ଠି ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଏସ୍‌ଏମ୍ଇ କ୍ଷେତ୍ରକୁ ବ୍ୟାଙ୍କ ୨୦୦୦ କୋଟି ଟଙ୍କା ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ ଅଗ୍ରୀମରେ ୧୫ ହଜାର କୋଟି ଟଙ୍କା ଓ ଜମାରେ ୪୦-୫୦ ହଜାର କୋଟି ଟଙ୍କାର ବୃଦ୍ଧି ଆଣିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ବ୍ୟାଙ୍କର ରହିଥିବା ବଜାର ଅଂଶ ସମ୍ପର୍କରେ ଆଲୋଚନା କରି ଶ୍ରୀ ଶର୍ମା କହିଛନ୍ତି ଯେ ରାଜ୍ୟର ରିଟେଲ୍‌ କ୍ଷେତ୍ରରେ ବ୍ୟାଙ୍କର ୩୫%‌, ଜମାରେ ୩୫%, ଅଗ୍ରିମରେ ୨୪%, ଚଳନ୍ତି ଖାତାରେ ୪୨%, ରିଅଲ ଇଷ୍ଟେଟ୍‌ରେ ୩୫-୩୬%, ଏସ୍‌ଏମ୍‌ଇରେ ୨୦%, ବ୍ୟକ୍ତିଗତ ଋଣରେ ୫୦% ଓ ଶିକ୍ଷା ଋଣରେ ୪୦% ବଜାର ଅଂଶ ରହିଛି। ସରକାରୀ ବ୍ୟାଙ୍କଠାରୁ ଘରୋଇ ବ୍ୟାଙ୍କ ଭଲ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହାକୁ ଶ୍ରୀ ଶର୍ମା ବଦଳାଇବାକୁ ଚାହୁଛନ୍ତି। ସରକାରଙ୍କ ଯେତେସବୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ରହିଛି ସେଥିରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଷ୍ଟେଟ୍‌ ବ୍ୟାଙ୍କ ଉଦ୍ୟମ କରୁଛି। ଏବେ ଓଡ଼ିଶାରେ ଷ୍ଟେଟ୍‌ ବ୍ୟାଙ୍କର ୮୮୫ ଶାଖା ଓ ୩୪୦୦ ଏଟିଏମ୍‌ ସହ ପ୍ରାୟ ୧୦ ହଜାର ଟଚ୍‌ପଏଣ୍ଟ୍‌ ରହିଛି। ରାଜ୍ୟରେ ନିଜର ଉପସ୍ଥିତିକୁ ବଢ଼ାଇବା ଲାଗି ବ୍ୟାଙ୍କ ପକ୍ଷରୁ ତିନି ଚାରିଟି ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦-୨୫ଟି ନୂଆ ଶାଖା ଖୋଲାଯିବ। ଏଥିପାଇଁ ଆବଶ୍ୟକ ଯୋଗାଯୋଗ ବ୍ୟବସ୍ଥାକୁ ବ୍ୟାଙ୍କ ଅପେକ୍ଷା କରିରହିଛି। ଏହା ବ୍ୟତୀତ ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ବ୍ୟାଙ୍କ ୩ଟି ନୂଆ ଶାଖା ସ୍ଥାପନ କରିବାକୁ ଯୋଜନା ରଖିଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ବ୍ୟାଙ୍କ ରାଜ୍ୟର ଗରିବରୁ ଅତି ଗରିବମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରିବାକୁ ଚାହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର