ସିୱାଇଏସ୍‌ଡିରେ ରାଜ୍ୟ ବଜେଟ୍‌ ବିଶ୍ଳେଷଣ କାର୍ଯ୍ୟକ୍ରମ: ସାମାଜିକ କ୍ଷେତ୍ର ବ୍ୟୟବରାଦ ହ୍ରାସ ନେଇ ଉଦ୍‌ବେଗ

ଭୁବନେଶ୍ବର: ସାମାଜିକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟବରାଦ ପ୍ରତିବର୍ଷ ହ୍ରାସ ପାଉଛି। ୨୦୧୮-୧୯ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୪୩.୩% ଅର୍ଥରାଶି ସାମାଜିକ କ୍ଷେତ୍ରରେ ବ୍ୟୟ କରାଯାଇଥିଲା। ୨୦୧୯-୨୦ରେ ସେହି ହାର ୪୨.୫%କୁ ଓ ୨୦୨୦-୨୧ରେ ୩୬.୭୩%କୁ ହ୍ରାସ ପାଇଛି। ଏହାକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଆଜି ସିୱାଇଏସ୍‌ଡି ପରିସରରେ ଓଡ଼ିଶା ବଜେଟ୍ ଆଣ୍ଡ୍ ଆକାଉଣ୍ଟାବିଲିଟି ସେଣ୍ଟର (ଓବିଏସି) ପକ୍ଷରୁ ରାଜ୍ୟ ବଜେଟ୍ ୨୦୨୦-୨୧ର ବିଶ୍ଳେଷଣ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବ୍ୟୟବରାଦ ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସ୍ଥିତିରେ ଉନ୍ନତି ଆଣିବା ଲାଗି ବଜେଟ୍‌ରେ ନିର୍ଦିଷ୍ଟ ଭାବେ ଧ୍ୟାନ ଦିଆଯାଇନାହିଁ। ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ରହୁଥିବାରୁ ପ୍ରାଥମିକ ଶିକ୍ଷାର ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ସେଥିରେ ଉନ୍ନତି ଆଣିବା ପାଇଁ ବଜେଟ୍‌ରେ ପ୍ରୟାସ କରାଯାଇନାହିଁ। ଗ୍ରାମୀଣ ବାସଗୃହ କ୍ଷେତ୍ରକୁ ମଧ୍ୟ ଅଣଦେଖା କରାଯାଇଛି। ଚାଷ ଜମି ପରିମାଣ ପ୍ରତିବର୍ଷ କମୁଥିଲେ ମଧ୍ୟ ବିକଳ୍ପ ଜୀବିକା ସୃଷ୍ଟି ଲାଗି ବଜେଟ୍‌ରେ ଧ୍ୟାନ ଦିଆଯାଇନାହିଁ। ଅର୍ଗାନିକ୍ ଫାର୍ମିଂ ପାଇଁ ମାତ୍ର ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଦୀର୍ଘବର୍ଷ ଧରି ରାଜସ୍ବ ବଳକା ରାଜ୍ୟ ହୋଇରହିଥିଲେ ମଧ୍ୟ ବିଭିନ୍ନ ସ୍ତରରେ ଖାଲି ପଡ଼ିଥିବା ପଦପଦବୀଗୁଡ଼ିକୁ ପୂରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେମାନେ କହିଛନ୍ତି। ଜଳ ଓ ପରିମଳ କ୍ଷେତ୍ରର ବଜେଟ୍‌ ବ୍ୟୟବରାଦରେ ଅସଙ୍ଗତି ପରିଲକ୍ଷିତ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନ ଖୋଲାରେ ମଳମୂତ୍ର ତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲେ ମଧ୍ୟ ସ୍ବଚ୍ଛ ଭାରତ ମିସନ ଲାଗି ୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗ୍ରାମାଞ୍ଚଳର ସ୍ବେରେଜ୍ ବ୍ୟବସ୍ଥା ପରିଚାଳନା ଲାଗି କୌଣସି ନିର୍ଦିଷ୍ଟ ପଦକ୍ଷେପ ବଜେଟ୍‌ରେ ଗ୍ରହଣ କରାଯାଇନାହିଁ। ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ହାର ଏବେବି ୫.୪୨% ଭଳି ଉଚ୍ଚ ସ୍ତରରେ ରହିଛି। ୬୧.୩% ତୃତୀୟ ଶ୍ରେଣୀ ପିଲା ନିଜ ଶ୍ରେଣୀର ପାଠ ପଢ଼ିପାରୁନାହାନ୍ତି। ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ବଜେଟ୍‌ରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ୨୦୧୯-୨୦ରେ ଶିକ୍ଷକଙ୍କ ତାଲିମ ପାଇଁ ୬୩.୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୦-୨୧ରେ ତାହାକୁ ୪୨.୭୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ମଧ୍ୟାହ୍ନ ଭୋଜନ ଓ ମମତା ଯୋଜନାରେ ବଜେଟ୍ ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ଭିତରେ ବଡ଼ ଧରଣର ତାରତମ୍ୟ ରହିଛି। ମନରେଗା ଲାଗି ମୋଟ ୧୫୦୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। କିନ୍ତୁ ରାଜ୍ୟରେ ମାତ୍ର ୩.୭୪% ପରିବାରକୁ ମନରେଗାରେ ୧୦୦ ଦିନର କାମ ମିଳିଛି। ବିପର୍ଯ୍ୟୟ ବିପଦ ଠାରୁ ସୁରକ୍ଷା ପାଇଁ ରାଜ୍ୟରେ ଏବେବି ୩୦.୮୧ ଲକ୍ଷ ପକ୍କା ଘର ଆବଶ୍ୟକ। ସେହି ଘରଗୁଡ଼ିକ ନିର୍ମାଣ କରିବା ପାଇଁ ୧୫,୦୦୦ କୋଟି ଟଙ୍କା ଦରକାର। ମୋଟ୍ ବଜେଟ୍ ରାଶିରେ ଲିଙ୍ଗଗତ ବଜେଟ୍‌ର ପରିମାଣ ବାସ୍ତବରେ ୩୫.୮%କୁ ହ୍ରାସ ପାଇଛି। ୨୦୧୯-୨୦ରେ ତାହା ୩୯.୧୫% ଭଳି ଉଚ୍ଚ ସ୍ତରରେ ଥିଲା।

ଏହି ଅବସରରେ ନାଇଜର୍‌ର ଡକ୍ଟର ଅମରେନ୍ଦ୍ର ଦାସ, ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଭାଗବତ ପାତ୍ର, ନୂଆଦିଲ୍ଲୀର ସେଣ୍ଟର୍‌ ଫର ବଜେଟ୍ ଆଣ୍ଡ୍‌ ଗଭର୍ଣ୍ଣନାନ୍ସ ଆକାଉଣ୍ଟାବିଲିଟିର ଇଡି ସୁବ୍ରତ ଦାସ, ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ, ପିଏଚ୍‌ଏଫ୍‌ଆଇର ସହକାରୀ ପ୍ରଫେସର ଡକ୍ଟର ସରିତ ରାଉତ ଓ ନାବାର୍ଡର ଅବସରପ୍ରାପ୍ତ ଏଜିଏମ୍ ସରଳ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର