କେନ୍ଦ୍ର, ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ:ଠକ ବିଲ୍‌ଡର୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କର

ନୂଆଦିଲ୍ଲୀ: ଠିକ୍ ସମୟରେ ପ୍ରକଳ୍ପ ଶେଷ କରୁନଥିବା ଠକ ବିଲ୍‌ଡର୍‌ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଆମ୍ରପାଲ୍ଲି ଗ୍ରୁପ୍ ବିରୋଧରେ ଦାୟର ହୋଇଥିବା ମାମଲାର ଶୁଣାଣି ବେଳେ ବିଚାରପତି ଅରୁଣ ମିଶ୍ର ଓ ୟୁ ୟୁ ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆମ ଦେଶ ନିର୍ଦିଷ୍ଟ ନିୟମ ଦ୍ବାରା ପରିଚାଳିତ ହେଉଥିବା ବେଳେ ଘର କିଣୁଥିବା ଗ୍ରାହକମାନେ କାହିଁକି ହଇରାଣ ହେବେ। ରେରା ନିୟମ ୨୦୧୬ରେ ଠିକ୍ ସମୟରେ ଆବାସିକ ପ୍ରକଳ୍ପ ଶେଷ କରିବାର ବ୍ୟବସ୍ଥା ରହିଛି। ଯେଉଁ ବିଲଡର୍‌ ସଂସ୍ଥା ସେହି ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଘର କିଣୁଥିବା ଲୋକମାନଙ୍କୁ ଯେଭଳି ଠିକ୍ ସମୟରେ ଘର ମିଳିବ ତାହା ନିଶ୍ଚିତ କରିବା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କୋର୍ଟ କହିଛନ୍ତି। ଚାଷୀଙ୍କ ଠାରୁ ଆବାସିକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ କର୍ତୃପକ୍ଷ ଓ ବିଲଡର୍‌ ସଂସ୍ଥା ଭିତରେ ରହୁଥିବା ଅସାଧୁ ସମ୍ପର୍କକୁ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି। ଚାଷୀମାନଙ୍କ ଠାରୁ ଶାଗମାଛ ଦରରେ ଜମି କିଣାଯାଉଛି। ସେମାନଙ୍କୁ ମଧ୍ୟ ତାଙ୍କ ପ୍ରାପ୍ୟ ଦିଆଯାଉନାହିଁ। ଘର କିମ୍ବା ଭିତ୍ତିଭୂମି ନିର୍ମାଣ ପାଇଁ ଚାଷୀଙ୍କ ଠାରୁ ଜମିକୁ ସରକାର ଅଧିଗ୍ରହଣ କରି ବିଭିନ୍ନ ସଂସ୍ଥାକୁ ହସ୍ତାନ୍ତର କରନ୍ତୁ ବୋଲି କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ ଯେଉଁ କାରଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି ସେହି କାମରେ ତାହା ବ୍ୟବହାର ଯେଭଳି ବ୍ୟବହାର ହୁଏ ତାହାକୁ ନିଶ୍ଚିତ କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।
ଆମ୍ରପାଲ୍ଲି ମାମଲାରେ କୋର୍ଟ ଆଜି ୨୭୦ ପୃଷ୍ଠାର ରାୟ ଶୁଣାଇଛନ୍ତି। ଯେଉଁ ବିଲ୍‌ଡର୍‌ ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ହାଉସିଂ ଓ ସହରାଞ୍ଚଳ ବିକାଶ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।
ଯେଉଁ ସ୍ଥାନରେ ବାସଗୃହ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ କରାଯାଉନାହିଁ ଓ ଗ୍ରାହକମାନେ ଠକାମିର ଶିକାର ହେଉଛନ୍ତି, ସେଭଳି ପରିସ୍ଥିତିରେ ଘର କିଣୁଥିବା ଗ୍ରାହକଙ୍କୁ ବିକଳ୍ପ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର। ଘର କିଣୁଥିବା ଲୋକମାନେ ନିଜ ଜୀବନ ସାରାର କଷ୍ଟ ଉପାର୍ଜିତ ଧନକୁ ବିଲ୍‌ଡର୍‌ ସଂସ୍ଥାକୁ ଦେଇଥାନ୍ତି। ଲୋକମାନଙ୍କ ସେହି ଆଶା ଓ ବିଶ୍ବାସ ଯେଭଳି ଧୂଳିସାତ୍ ନହୁଏ ତାହାକୁ ନିଶ୍ଚିତ କରିବା ହେଉଛି ସରକାରଙ୍କ ଦାୟିତ୍ବ ବୋଲି କୋର୍ଟ କହିଛନ୍ତି।
ଆଜି ଆମ୍ରପାଲ୍ଲି ଗ୍ରୁପ୍‌ର ଲିଜ୍ ଓ ଲାଇସେନ୍ସକୁ କୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ କଂପାନି ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର