ନୂଆଦିଲ୍ଲୀ: ଯକୃତ ଔଷଧ ଡିଫେଟେଲିୟୋ ଓ କ୍ୟାନସର (କର୍କଟ) ରୋଗୀ ପାଇଁ ବ୍ୟବହାର ହେଉଥିବା ଔଷଧ ଏଡ୍ସେଟ୍ରିସ୍ର ନକଲି ଔଷଧ ଦେଶରେ ବିକ୍ରି ହେଉଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ସୂଚନା ଦେଇଛି। ଏଥିପ୍ରତି ସତର୍କ ରହିବାକୁ ଏହା ଡାକ୍ତର ଓ ରାଜ୍ୟ ସରକାରମାନଙ୍କୁ କହିଛି। ଔଷଧ ଲେଖିବା ବେଳେ ସତର୍କ ରହିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜ୍ୟର ଔଷଧ ନିୟନ୍ତ୍ରକଙ୍କ ପାଖକୁ ଏକ ଚିଠି ଲେଖି ଡିସିଜିଆଇ ଜଣାଇଛି ଯେ ଅତି କମ୍ରେ ଭିନ୍ନ ଭିନ୍ନ ଆଠ ପ୍ରକାରର ନକଲି ଔଷଧ ରହିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏହି ଔଷଧଗୁଡ଼ିକୁ ନେଇ ସତର୍କ କରାଇଛି। ଏହା ପରେ ଡିସିଜିଆଇ ପକ୍ଷରୁ କୁହାଯାଇଥିଲା ଯେ ଭାରତ ସମେତ ଚାରିଟି ଦେଶରେ ଯକୃତ ଓ କ୍ୟାନସର ରୋଗର ନକଲି ଔଷଧ ରହିଛି। ଟେକେଡା ଫାର୍ମା ନାମକ ସଂସ୍ଥା ଏହି ଔଷଧଗୁଡ଼ିକୁ ତିଆରି କରିଛି। ମୁଖ୍ୟତଃ ଅନଲାଇନ୍ ମାଧ୍ୟମରେ ତାହା ସିଧାସଳଖ ରୋଗୀଙ୍କ ନିକଟରେ ପହଞ୍ଚୁଛି। ଡବ୍ଲୁଟିଓ କହିଛି ଯେ ନକଲି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କଠାରେ ଚିକିତ୍ସାର ପ୍ରଭାବ ଦେଖିବାକୁ ମିଳେନାହିଁ। ଓଲଟା ବିଭିନ୍ନ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୁଏ।
କେତେକ ମାମଲାରେ ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କ ମୃତ୍ୟୁ ହୋଇପାରେ ବୋଲି ସତର୍କ କରାଯାଇଛି। ଯକୃତ ଓ କ୍ୟାନସର ରୋଗର ପାଇଁ ଔଷଧ ଲେଖିବା ବେଳେ ରୋଗୀମାନଙ୍କୁ ନକଲି ଔଷଧ ବିଷୟରେ ସଚେତନ କରିବାକୁ ଡାକ୍ତରମାନଙ୍କୁ ଡିସିଜିଆଇ କହିଛି। ବଜାରରେ ଥିବା ନକଲି ଔଷଧକୁ ଜବତ କରିବା ଏବଂ ସେଗୁଡ଼ିକର ବିତରଣ ଓ ଷ୍ଟକ ଉପରେ ନଜର ରଖିବାକୁ ମଧ୍ୟ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦିଆଯାଇଛି। କିଛି ଦିନ ପୂର୍ବେ ଆବଟ୍ ନାମକ ଔଷଧ କଂପାନିର ଆଣ୍ଟାସିଡ୍ ଡାଇଜିନ୍ ଜେଲ୍କୁ ନେଇ ଡିସିଜିଆଇ ନିର୍ଦ୍ଦେଶାବଳୀ ଜାରି କରି ଲୋକମାନଙ୍କୁ ସତର୍କ କରିଥିଲା। ସେହି ସମୟରେ ମଧ୍ୟ ଡାକ୍ତରମାନଙ୍କୁ ପରାମର୍ଶ ଦେଇ ରୋଗୀଙ୍କୁ ଡାଇଜିନ୍ ଜେଲ୍ ଖାଇବା ବନ୍ଦ କରିବା ପାଇଁ ସଚେତନ କରିବାକୁ କୁହାଯାଇଥିଲା।