ରାଜ୍ୟ ଉଦ୍ୟୋଗର ପୁନଃ ବର୍ଗୀକରଣ ହେବ, ନୂଆ ମାନଦଣ୍ଡ ଆଧାରରେ ମିଳିବ ସ୍କୋର

ପ୍ରତି ୨-୩ ବର୍ଷରେ ବର୍ଗର ସମୀକ୍ଷା ହେବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ମନୋଭାବ ବଢ଼ାଇବା ଲାଗି ସେମାନଙ୍କ ପୁନଃ ବର୍ଗୀକରଣ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନୂତନ ମାନଦଣ୍ଡ ଆଧାରରେ ଉଦ୍ୟୋଗଗୁଡ଼ିକର ବର୍ଗ ନିର୍ଧାରଣ କରାଯିବ। ପ୍ରତି ମାନଦଣ୍ଡ ପାଇଁ ଭିନ୍ନ ସ୍କୋର ରହିବ। ଚୂଡ଼ାନ୍ତ ସ୍କୋରକୁ ବିଚାରକୁ ନେବା ପରେ ଉକ୍ତ ସଂସ୍ଥାର ପ୍ରକୃତ ବର୍ଗ ନିର୍ଧାରଣ କରାଯିବ। କଂପାନିଗୁଡ଼ିକୁ ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମୁଖ୍ୟତଃ ଚାରିଟି ବର୍ଗରେ ରଖାଯିବ। ତାହା ହେଉଛି ବ୍ରୋଞ୍ଜ୍‌, ସିଲ୍‌ଭର, ଗୋଲ୍ଡ ଓ ପ୍ଲାଟିନମ୍। ଯେଉଁ ସଂସ୍ଥାର ଚୂଡ଼ାନ୍ତ ସ୍କୋର ୨୫ରୁ ୫୦ ଭିତରେ ରହିବ ସେମାନଙ୍କୁ ବ୍ରୋଞ୍ଜ୍‌, ୫୦-୭୫ ମଧ୍ୟରେ ସ୍ମୋର ରହିଲେ ସିଲ୍‌ଭର ଏବଂ ୭୫-୧୦୦ ଭିତରେ ସ୍କୋର ରହିଲେ ଗୋଲ୍ଡ ବର୍ଗରେ ସାମିଲ କରାଯିବ। ଗୋଲ୍ଡ ବର୍ଗରେ ଥିବା ସଂସ୍ଥା ଷ୍ଟକ ବଜାରରେ ପ୍ରବେଶ କରିଥିଲେ ତାହାକୁ ପ୍ଲାଟିନମ୍ ବର୍ଗରେ ରଖାଯିବ। ବର୍ଗୀକରଣକୁ ପ୍ରତି ୨-୩ ବର୍ଷରେ ସମୀକ୍ଷା କରାଯିବ।

ରାଜ୍ୟ ସରକାରଙ୍କ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠା ମାନଦଣ୍ଡ ଅନୁସାରେ ଉଦ୍ୟୋଗଗୁଡ଼ିକର କାର୍ଯ୍ୟକୁ ନେଇ ସେମାନଙ୍କୁ ମୁଖ୍ୟତଃ ଦୁଇଟି ଶ୍ରେଣୀ ‘ଶିଳ୍ପ କ୍ଷେତ୍ର’ ଏବଂ ‘ସେବା କ୍ଷେତ୍ର’ ଅଧୀନରେ ରଖାଯିବ। କ୍ୟାପିଟାଲ୍‌ ଗୁଡ୍‌ସର ବ୍ୟବହାର, ବିଦ୍ୟୁତ ଉତ୍ପାଦନ, ସମ୍ବଳ ଉତ୍ତୋଳନ ଏବଂ ନିର୍ମାଣ ଆଦି କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକୁ ଶିଳ୍ପ କ୍ଷେତ୍ର ଶ୍ରେଣୀରେ ରଖାଯିବ। ଅନ୍ୟମାନଙ୍କୁ ସେବା ଶ୍ରେଣୀରେ ସାମିଲ କରାଯିବ।

କଂପାନିଗୁଡ଼ିକର ତିନି ଆର୍ଥିକ ବର୍ଷର ହାରାହାରି କାରବାର, ସୁଧ ଓ ଟିକସ ପୂର୍ବରୁ ଆୟ, ହିସାବ ଖାତାର ଅଡିଟ୍‌, ବକେୟା ଋଣ, ଲାଭାଂଶ, ହାରାହାରି ଏମ୍‌ଓୟୁ ଏବଂ ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ଭଳି ମାନଦଣ୍ଡରେ ସେମାନଙ୍କୁ ‌ସ୍କୋର ପ୍ରଦାନ କରାଯିବ। କଂପାନିଗୁଡ଼ିକର ବର୍ଗୀକରଣ ଅନୁସାରେ ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଭିନ୍ନ ପ୍ରକାର କ୍ଷମତା ମଧ୍ୟ ପ୍ରଦାନ କରାଯିବ। ବର୍ଗ ଆଧାରରେ କଂପାନିଗୁଡ଼ିକୁ ପୁଞ୍ଜି ବ୍ୟୟ, କର୍ମଚାରୀଙ୍କ ଭତ୍ତା ଓ ସୁବିଧା ସୁଯୋଗ, ସଂସ୍ଥାର ପୁନର୍ଗଠନ ଏବଂ ବିଦେଶ ଭ୍ରମଣ ଆଦି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଲାଗି ଭିନ୍ନ ଭିନ୍ନ କ୍ଷମତା ପ୍ରଦାନ କରାଯିବ। ରାଜ୍ୟ ସରକାର ଜାରି କରିଥିବା ଚିଠା ମାନଦଣ୍ଡରେ ସ୍ବାଧୀନ ନିର୍ଦେଶକମାନଙ୍କ ସିଟିଂ ଫି’ ମଧ୍ୟ ଧାର୍ଯ୍ୟ କରାଯାଇଛି। ବ୍ରୋଞ୍ଜ୍‌ ବର୍ଗ ପାଇଁ ଫି’ ୫ ଲକ୍ଷ ଟଙ୍କା, ସିଲ୍‌ଭର୍‌ ବର୍ଗ ପାଇଁ ୧୦ ଲକ୍ଷ ଟଙ୍କା, ଗୋଲ୍ଡ ବର୍ଗରେ ୧୫ ଲକ୍ଷ ଟଙ୍କା ଏବଂ ପ୍ଲାଟିନମ୍ ବର୍ଗର ଉଦ୍ୟୋଗରେ ସିଟିଂ ଫି’ ୨୦ ଲକ୍ଷ ଟଙ୍କା ରହିବ।

ସମ୍ବନ୍ଧିତ ଖବର