ରାଜ୍ୟରେ ଅର୍ଥ ସଙ୍କଟ: କେନ୍ଦ୍ରକୁ ମାଗିଲେ ଜିଏସ୍‌ଟି କ୍ଷତିପୂରଣ, ବକେୟା ଟଙ୍କା

ନୂଆଦିଲ୍ଲୀ: କରୋନା ଭୂତାଣୁ ରାଜ୍ୟଗୁଡ଼ିକର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏତେ ବଡ଼ ସଙ୍କଟର ମୁକାବିଲା କରୁଥିବା ରାଜ୍ୟଗୁଡ଼ିକ ପାଇଁ ଆର୍ଥିକ ସଙ୍କଟ ଦେଖାଦେଲାଣି। ଲକ୍ ଡାଉନ୍ ପ୍ରଭାବରୁ ବ୍ୟାବସାୟିକ କାର୍ଯ୍ୟକଳାପ ବନ୍ଦ ହୋଇଯିବାରୁ ଜିଏସ୍‌ଟି ଓ ଅନ୍ୟାନ୍ୟ ରାଜସ୍ବ ଆୟ ଠପ୍ ହୋଇଯାଇଛି। ଏହି ସ୍ଥିତିରୁ ଉଦ୍ଧାର କରିବା ଲାଗି କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ବାବଦ ୬୦୦୦ କୋଟି ଟଙ୍କା ଶୀଘ୍ର ଦେବା ଲାଗି ପଞ୍ଜାବ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ରାଜସ୍ଥାନ ମଧ୍ୟ ୧୧ ହଜାର କୋଟି ଟଙ୍କାର ବକେୟା ରାଶି ମାଗିଛି। ମାତ୍ର ଏହି ସମୟରେ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି ଯେ, କିଛି ରାଜ୍ୟ ଜାଣିଶୁଣି ବକେୟା ରାଶିକୁ ନେଇ ରାଜନୀତି କରିବାକୁ ଚାହୁଛନ୍ତି। କେନ୍ଦ୍ର ପାଖରେ ଟଙ୍କା ଅଛି ଏହା ସତ୍ତ୍ବେ ଆମ ବକେୟା ମିଳୁନାହିଁ ବୋଲି କିଛଇ ରାଜ୍ୟ ଭାବୁଥିବା ସେ କହିଛନ୍ତି। ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କହିଛନ୍ତି ଯେ, ଆମେ ଟଙ୍କା ଛାପୁନାହୁଁ। ଆମକୁ ମଧ୍ୟ ଋଣ କରିବାକୁ ପଡ଼ୁଛି। ଅନ୍ୟ ରାଜ୍ୟଗୁଡ଼ିକର ଅବସ୍ଥା ମଧ୍ୟ ସମାନ ବୋଲି ସେ କହିଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଯେ କରୋନା ମୁକାବିଲା ଲାଗି ରାଜ୍ୟଗୁଡ଼ିକୁ ଅତିରିକ୍ତ ୧.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆର୍ଥିକ ଊତ୍ତରଦାୟିତ୍ବ ଓ ବିତ୍ତୀୟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମ ଅଧୀନରେ ବିତ୍ତୀୟ ନିଅଣ୍ଟ୍‌କୁ ଜିଏସ୍‌ଡିପିର ୩% ଭିତରେ ରଖିବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏହି ସୀମା କୋହଳ କରିବାକୁ କେତେକ ରାଜ୍ୟ କେନ୍ଦ୍ରକୁ ଅନୁରୋଓ କରିଛନ୍ତି। କେରଳ ଅର୍ଥମନ୍ତ୍ରୀ ଥମାସ୍‌ ଆଇଜ୍ୟାକ୍ ଦାବି କରିଛନ୍ତି ଯେ ବିତ୍ତୀୟ ନିଅଣ୍ଟ ସୀମାରେ ୧-୪ ପ୍ରତିଶତ ପର୍ଯ୍ୟନ୍ତ କୋହଳ କରାଯିବାର ଆବଶ୍ୟକତା ରହିଛି। ଏକ ପ୍ରତିଶତ କୋହଳ ହୋଇଗଲେ ରାଜ୍ୟଗୁଡ଼ିକୁ ୧.୬ ଲକ୍ଷ କୋଟି ଟଙ୍କା ମିଳିଯିବ। ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ କହିଛନ୍ତି ଯେ, ରାଜ୍ୟଗୁଡ଼ିକୁ ମଧ୍ୟ କିଛିଟା ରିଲିଫ୍ ଦରକାର। ସ୍ବାସ୍ଥ୍ୟ ସେବା ଓ ଖାଦ୍ୟଶସ୍ୟ ପ୍ରଦାନ କରିବାରେ ରାଜ୍ୟଗୁଡ଼ିକର ମଧ୍ୟ ବିପୁଳ ବ୍ୟୟ ହେବ।

ସମ୍ବନ୍ଧିତ ଖବର