ଭୁବନେଶ୍ବର: ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଭାଗିତାରେ ଯେଉଁ ପ୍ରକଳ୍ପ ଚଳିତ ବର୍ଷ ହେବାକୁ ଥିଲା ସେନେଇ କେନ୍ଦ୍ର ସରକାରଙ୍କ ଅଂଶ ମିଳିବା ପରେ କାମ ଆରମ୍ଭ ହେବ। ଏପଟେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ଯୋଜନା ହେବନି। ଏହାବାଦ୍ କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ବି ବାଧାପ୍ରାପ୍ତ ହୋଇଛି। ତେଣୁ ଚଳିତ ଆର୍ଥିକ ବର୍ଷରେ କି କି ପ୍ରକଳ୍ପ ହୋଇପାରିବ, ଏଥିପାଇଁ ରାଜ୍ୟ ସରକାର କେତେ ଅର୍ଥ ଦେଇପାରିବେ ସେନେଇ ଉନ୍ନୟନ କମିସନର ସମୀକ୍ଷା ବୈଠକ ଡାକିଛନ୍ତି। ଜୁନ୍ ୧୭ ଓ ୧୮ରେ ବସିବାକୁ ଥିବା ଏହି ବୈଠକରେ ୧୪ଟି ଯାକ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ବ୍ୟୟ ଅଟକଳ ଉପରେ ସମୀକ୍ଷା ହେବ।
ଏଥିରେ ସବୁ ବିଭାଗ ସେମାନଙ୍କ ଯୋଜନା ଏବଂ ଚଳିତ ବର୍ଷ ଖର୍ଚ୍ଚ କରିବାକୁ ଥିବା ଟଙ୍କାର ହିସାବ ଦେବେ। ଅର୍ଥ ବିଭାଗ ଉକ୍ତ ଯୋଜନା ପାଇଁ କେତେ ଟଙ୍କା ଦେଇପାରିବ ତାହା ବି କହିବ। ତାହାପରେ ନିଷ୍ପତ୍ତି ନିଆଯିବ ଯେ, ଚଳିତବର୍ଷ କେତୋଟି ପ୍ରକଳ୍ପ ହେବ, କେତେ ପ୍ରକଳ୍ପ ହେବନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୭ ଓ ୧୮ତାରିଖରେ ବସିବାକୁ ଥିବା ବୈଠକକୁ ପୂରା ତଥ୍ୟ ସହ ଆସିବାକୁ ଉନ୍ନୟନ କମିସନର ୧୪ଟି ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ଚଳିତ ଆର୍ଥିକ ବର୍ଷେର ହେବାକୁ ଥିବା ପ୍ରକଳ୍ପର ତାଲିକା, କେତେ ଅର୍ଥ ଖର୍ଚ୍ଚ ହେବ ସେସବୁକୁ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ଧରି ବସିବାକୁ ଥିବା ଏହି ବୈଠକରେ ଜୁନ୍ ୧୭ରେ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ହେବ। ଜୁନ୍ ୧୮ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଅନୁସୂଚିତ ଜନଜାତି ଓ ଏବଂ ଜାତି, ମହିଳା ଏବଂ ଶିଶୁ ବିକାଶ ଏବଂ ମିସନ ଶକ୍ତି, କ୍ରୀଡ଼ା ଏବଂ ଯୁବସେବା, ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ ବିଭାଗ, ଶକ୍ତି, ଉଚ୍ଚ ଶିକ୍ଷା ବିଭାଗର ଯୋଜନା ଗୁଡ଼ିକ ସମୀକ୍ଷା ହେବ।