ରାଜ୍ୟ ଜିଏସ୍‌ଟି ଆଦାୟରେ ୨୪% ବୃଦ୍ଧି, ପ୍ରମୁଖ ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ଆଗୁଆ

ଜିଏସ୍‌ଟିଆର୍‌-୩ବି ଦାଖଲ ସମୟ ସୀମା ଜୁନ୍ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ବର: ଓଡ଼ିଶା ୨୦୧୯-୨୦ରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଆଦାୟରେ ୨୪.୪୬ ପ୍ରତିଶତ ବୃଦ୍ଧି ହାସଲ କରିଛି। ୨୦୧୮-୧୯ରେ ୭୦୦୮.୦୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଆଦାୟ ହୋଇଥିଲା। ୨୦୧୯-୨୦ରେ ତାହା ୮୭୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ଆଦାୟରେ ମଧ୍ୟ ୨୩.୩୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮-୧୯ରେ ୫୨୯୬.୦୭ କୋଟି ଟଙ୍କାର ସିଜିଏସ୍‌ଟି ଆଦାୟ ହୋଇଥିବା ବେଳେ ୨୦୧୯-୨୦ରେ ସେ ବାବଦରେ ୬୫୩୪.୩୬ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ବାଣିଜ୍ୟ କର ଓ ଜିଏସ୍‌ଟି ଆୟୁକ୍ତଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେସ୍‌ ସଂଗ୍ରହରେ ୧.୪୪ ପ୍ରତିଶତ ବୃଦ୍ଧି ଘଟି ୫୭୨୨.୫୮ କୋଟି ଟଙ୍କା ଆଦାୟ ହୋଇଛି। ଏହାର ପୂର୍ବବର୍ଷ ୫୬୪୧.୪୧ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଥିଲା। ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ବାବଦରେ ଓଡ଼ିଶା ୨୦୧୯-୨୦ରେ ୮୭୦୭.୩୮ କୋଟି ଟଙ୍କା ସଂଗ୍ରହ କରିଛି। ୨୦୧୮-୧୯ର ୯୦୦୬.୧୫ କୋଟି ଟଙ୍କା ତୁଳନାରେ ତାହା ୩.୩୬ ପ୍ରତିଶତ କମ୍। କରୋନା ଭୂତାଣୁ ପ୍ରଭାବ ଯୋଗୁଁ ୨୦୨୦ ମାର୍ଚ୍ଚରେ ଜିଏସ୍‌ଟି ଆଦାୟରେ ମାତ୍ର ୦.୭୭ ପ୍ରତିଶତ ବୃଦ୍ଧି ଘଟିଛି। ସିଜିଏସ୍‌ଟି, ଏସ୍‌ଜିଏସ୍‌ଟି, ଆଇଜିଏସ୍‌ଟି ଓ ସେସ୍‌କୁ ମିଶାଇଲେ ଜିଏସ୍‌ଟି ଆଦାୟରେ ବାର୍ଷିକ ୧୦.୧୧ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ୨୦୧୯-୨୦ରେ ଓଡ଼ିଶାରେ ମୋଟ୍‌ ୨୯,୬୭୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି। ୨୦୧୮-୧୯ରେ ୨୬,୯୫୧.୭୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା। ରାଜ୍ୟ ଜିଏସ୍‌ଟି ଆଦାୟରେ ଓଡ଼ିଶା ହାସଲ କରିଥିବା ଅଭିବୃଦ୍ଧି ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ। ୨୦୧୯-୨୦ରେ ୪୯,୨୪୯ ଜଣ ନୂତନ ଟିକସଦାତା ଜିଏସ୍‌ଟି ପରିସରରେ ପ୍ରବେଶ କରିଛନ୍ତି। ଅଣ-ଜିଏସ୍‌ଟି ରାଜସ୍ବ ଉତ୍ସ ମଧ୍ୟ‌େ ପେଟ୍ରୋଲିୟମ୍ ସାମଗ୍ରୀ ଉପରୁ ଭାଟ୍‌ ବାବଦରେ ୫୬୭୯.୨୫ କୋଟି ଟଙ୍କା ଆଦାୟ ହୋଇଛି। ମାନବ ବ୍ୟବହାର ଉପଯୋଗୀ ଆଲ୍‌କୋହଲ୍‌ ଉପରୁ ୧୭୬୭.୪୪ କୋଟି ଟଙ୍କାର ଭାଟ୍‌ ଆଦାୟ ହୋଇଛି। ଏକ୍ଷେତ୍ରରେ ୮.୭୭ ପ୍ରତିଶତର ବୃଦ୍ଧି ଘଟିଛି। ବୃତ୍ତିଗତ ଟିକସ ଆଦାୟରେ ୫.୫୪ ପ୍ରତିଶତ ବୃଦ୍ଧି ଘଟି ୨୧୫.୧୦ କୋଟି ଟଙ୍କା ଆଦାୟ କରାଯାଇଛି।

ଜିଏସ୍‌ଟିଆର୍‌-୩ବି ଦାଖଲ ସମୟ ସୀମା ଜୁନ୍ ପର୍ଯ୍ୟନ୍ତ ବଢ଼ିଲା
କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଟିକସଦାତାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା ଘୋଷଣା କରାଯାଇଛି। ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସର ଜିଏସ୍‌ଟିଆର୍‌-୩ବି ଦାଖଲର ଶେଷ ତାରିଖକୁ ଜୁନ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବବର୍ଷ ୫ କୋଟି ଟଙ୍କାରୁ କମ୍ କାରବାର କରିଥିବା ଟିକସଦାତାଙ୍କୁ ଏହି ସୁବିଧା ମିଳିବ। ସେମାନଙ୍କୁ କୌଣସି ସୁଧ ବିଳମ୍ବ ଶୁଳ୍କ କିମ୍ବା ଜରିମାନା ଗଣିବାକୁ ପଡ଼ିବନି। ସେହିପରି ପାଞ୍ଚ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ଟିକସଦାତାମାନଙ୍କୁ ୧୮% ପରିବର୍ତେ ୯ ପ୍ରତିଶତର ବାର୍ଷିକ ସୁଧ ଦେବାକୁ ପଡ଼ିବ। ଯଦି ଏହି ଟିକସଦାତାମାନେ ଆସନ୍ତା ଜୁନ୍ ଭିତରେ ରିଟର୍ଣ୍ଣ ଦାଖଲ କରନ୍ତି ତେବେ ତାଙ୍କୁ କୌଣସି ଶୁଳ୍କ କିମ୍ବା ଜରିମାନା ଗଣିବାକୁ ପଡ଼ିବ ନାହିଁ। ୨୦୧୮-୧୯ର ବାର୍ଷିକ ରିଟର୍ଣ୍ଣ ଦାଖଲର ଶେଷ ସମୟକୁ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗତ ମାର୍ଚ୍ଚ ୧୫ରୁ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତର ବୈଧତା ଥିବା ୱେ-ବିଲ୍‌ଗୁଡ଼ିକର ବୈଧତାକୁ ମଧ୍ୟ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଇନ୍‌ପୁଟ୍‌ କ୍ରେଡିଟ୍‌ ନେବାର ୧୦ ପ୍ରତିଶତ ପ୍ରତିବଦ୍ଧକକୁ ସରକାର ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବରର ଜିଏସ୍‌ଟିଆର୍‌-୩ବି ରିଟର୍ଣ୍ଣରେ ତାହା ପୁନଃପୌନିକ ଭାବେ ଆକଳନ କରାଯିବ।

ସମ୍ବନ୍ଧିତ ଖବର