ଭୁବନେଶ୍ବର: ଚଳିତବର୍ଷ ଜୁଲାଇରେ ଓଡ଼ିଶା ରାଜ୍ୟ ଜିଏସ୍‌ଟି ଅଧୀନରେ (ରାଜ୍ୟ ଜିଏସ୍‌ଟି ଓ ଆଇଜିଏସ୍‌ଟି ବାବଦ ଅଂଶ) ୨୦୩୫.୧୮ କୋଟି ଟଙ୍କା ଆଦାୟ କରିଛି। ଗତବର୍ଷ ଜୁଲାଇରେ ଏହା ୧୬୨୮.୪୩ କୋଟି ଟଙ୍କା ରହିଥିଲା। ଅର୍ଥାତ୍‌ ରାଜ୍ୟ ଜିଏସ୍‌ଟି ଆଦାୟ ରାଶି ଜୁଲାଇରେ ୨୪.୯୮ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ଏପ୍ରିଲରୁ ଜୁଲାଇ ସୁଦ୍ଧା ଓଡ଼ିଶା ଏ ବାବଦରେ ୮୮୬୬.୯୫ କୋଟି ଟଙ୍କା ଆଦାୟ କରିଛି। ଗତବର୍ଷ ଏପ୍ରିଲରୁ ଜୁଲାଇ ଅବଧିରେ ଏହା ୭୦୫୫.୫୩ କୋଟି ଟଙ୍କା ରହିଥିଲା। ଅର୍ଥାତ୍‌ ଗତବର୍ଷ ତୁଳନାରେ ଚଳିତବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ଉକ୍ତ ଟିକସ ଆଦାୟରେ ୨୫.୬୭ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ୨୦୨୪ ଜୁଲାଇରେ ରାଜ୍ୟରେ ୪୯୨୫.୦୨ କୋଟି ଟଙ୍କାର ମୋଟ ଜିଏସ୍‌ଟି (ରାଜ୍ୟ ଜିଏସ୍‌ଟି, କେନ୍ଦ୍ର ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି ଓ ସେସ୍‌) ଆଦାୟ ହୋଇଛି। ୨୦୨୩ ଜୁଲାଇରେ ଏହି ରାଶି ୪୨୪୫.୪୦ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ଓଡ଼ିଶାର ମୋଟ ଜିଏସ୍‌ଟି ଆଦାୟ ୧୬.୦୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ଆର୍ଥିକବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ରାଜ୍ୟରେ ମୋଟ ଜିଏସ୍‌ଟି ଆଦାୟ ରାଶି ୨୦୮୪୧.୩୩ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୨୦୨୩ର ଏପ୍ରିଲ-ଜୁଲାଇ ଅବଧିରେ ୧୮୦୫୮.୮୪ କୋଟି ଟଙ୍କା ରହିଥିଲା।

Advertisment

ରାଜ୍ୟ ବାଣିଜ୍ୟିକ ଟିକସ ଓ ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟ ଅଧୀନ ସମସ୍ତ ଆଇନ ଯଥା ଓଜିଏସ୍‌ଟି, ଆଇଜିଏସ୍‌ଟି ବନ୍ଦୋବସ୍ତ, ଭାଟ୍ ଓ ପ୍ରଫେସନାଲ୍‌ ଟିକସ ବାବଦରେ ଚଳିତବର୍ଷ ଜୁଲାଇରେ ୩୨୦୯ କୋଟି ୬୬ ଲକ୍ଷ ଟଙ୍କା ଆଦାୟ ହୋଇଛି, ଯାହାକି ଗତବର୍ଷ ଜୁଲାଇରେ ୨୭୧୬ କୋଟି ୫୨ ଲକ୍ଷ ଟଙ୍କା ରହିଥିଲା। ଅର୍ଥାତ୍‌ ଏସବୁ ଟିକସ ବାବଦରେ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ୧୮.୧୫ ପ୍ରତିଶତ ଅଧିକ। ଜୁଲାଇ ମାସରେ ରାଜ୍ୟରେ ୨୧.୦୨ ଲକ୍ଷ ଇ-ୱେବିଲ୍‌ ବାହାର କରାଯାଇଛି। ଗତବର୍ଷ ଜୁଲାଇ ତୁଳନାରେ ଏହା ୪.୪୪ ପ୍ରତିଶତ ଅଧିକ। ଗତବର୍ଷ ଜୁଲାଇରେ ୨୦.୧୩ ଲକ୍ଷ ଇ-ୱେବିଲ୍‌ ବାହାର କରାଯାଇଥିଲା। ମୋଟ ୨୧.୦୨ ଲକ୍ଷ ଇ-ୱେବିଲ୍‌ ମଧ୍ୟରୁ ୧୨.୧୦ ଲକ୍ଷ ଇ-ୱେବିଲ୍ ରାଜ୍ୟ ଓ ରାଜ୍ୟ ମଧ୍ୟରେ ହୋଇଥିବାବେଳେ ୮.୯୨ ଲକ୍ଷ ଇ-ୱେବିଲ୍‌ ରାଜ୍ୟ ଭିତରେ ବ୍ୟବସାୟ ପାଇଁ ବାହାର କରାଯାଇଛି।