ଭୁବନେଶ୍ୱର: ପେନସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ), ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି- ଓଡ଼ିଶାର ଆବାହକ ୟୁକୋ ବ୍ୟାଙ୍କର ସଂଯୋଜନାରେ କଟକର ବାଲିକୁଦା-ତ୍ରିଶୂଳିଆ ରୋଡ୍, କ୍ରିଷ୍ଣାସ କୋର୍ଟୟାର୍ଡ ହୋଟେଲ ଏବଂ କନଭେନସନ୍‌ରେ ରାଜ୍ୟସ୍ତରୀୟ ଅଟଳ ପେନସନ୍‌ ଯୋଜନା (ଏପିୱାଇ) ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୁକୋ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଗୌତମ ପାତ୍ର ସ୍ୱାଗତ ଭାଷଣ ଦେଇ ଗତ ତିନି ବର୍ଷ ଧରି ଏସ୍‌ଏଲ୍‌ବିସି ନିରନ୍ତର ଭାବରେ ଏହି ଯୋଜନାରେ ଆବଣ୍ଟିତ ଲକ୍ଷ୍ୟର ୧୦୦ ପ୍ରତିଶତ ଅତିକ୍ରମ କରିବାର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଥିଲେ। ନଭେମ୍ବର ୮ ସୁଦ୍ଧା ଏସ୍‌ଏଲ୍‌ବିସି,ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହାର ନିର୍ଦ୍ଧାରିତ ଲକ୍ଷ୍ୟର ୬୮% ହାସଲ କରିସାରିଛି ବୋଲି ସେ ସୂଚନା ଦେଇଥିଲେ।

Advertisment

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସମସ୍ତ ଅଂଶୀଦାରମାନଙ୍କୁ ପ୍ରଚାର ପ୍ରୟାସକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ସାଗରିକା ହୋତା ଏହି ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପିଏଫ୍‌ଆର୍‌ଡିଏର ସିଜିଏମ ପ୍ରବେଶ କୁମାର ଓଡ଼ିଶାରେ ୨୦୨୫-୨୬ରେ ଏପିୱାଇରେ ୫ ଲକ୍ଷ ଗ୍ରାହକ ପଞ୍ଜୀକରଣ ଲକ୍ଷ୍ୟ ରଖିବାକୁ ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଟଳ ପେନସନ ଯୋଜନା ନାଗରିକ ପସନ୍ଦ ଅଭିଯାନ ଅଧୀନରେ ଛଅଟି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଏବଂ ଛଅଟି ବ୍ୟାଙ୍କକୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୫ଟି ବ୍ୟାଙ୍କ ଏବଂ ୨୬ଟି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକଙ୍କୁ  ସମ୍ମାନିତ କରାଯାଇଥିଲା। ପିଏଫ୍‌ଆର୍‌ଡିଏର ସହାୟକ ମହାପ୍ରବନ୍ଧକ ଶିବିକା ସିଂଘଲ, ଏସ୍‌ଏଲ୍‌ବିସିର ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।